ଜମନକିରା/ଗୁଣ୍ଡୁରୁଚୁଆଁ: ପ୍ରବଳ ବର୍ଷା ଯୋଗୁଁ ଜମନକିରା ବ୍ଲକ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର ମିଳିଛି। ପ୍ରାପ୍ତ ସୂଚନାନୁସାରେ ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ (୫୦) ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ (୫୨) ଲଇଡ଼ା ଅଞ୍ଚଳକୁ ନିଜ କାର୍‌ ନେଇ ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ।

Advertisment

ସେଠାରୁ ସନ୍ଧ୍ୟାରେ କେନାଢିପା ରାସ୍ତା ଦେଇ ଫେରୁଥିବା ବେଳେ ନକଟିପାଲି ଓ ଫାଶିମାଲ ମଧ୍ୟରେ ଥିବା ବାରଟେଙ୍ଗରା ନାଳ ପାରି ହେବା ବେଳେ ବନ୍ୟା ପାଣିରେ ଭାସି ଯାଇଛନ୍ତି। ସକାଳେ ଯିବା ବେଳେ ଉକ୍ତ ନାଳାରେ କମ୍‌ ପାଣି ଥିବା ବେଳେ ଅପରାହ୍‌ଣରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଆସି ଯାଇଥିଲା। ଫଳରେ ଉଭୟେ କାର୍‌ ସହ ଭାସି ଯାଇଥିଲେ। ନକଟିପାଲି ବାସିନ୍ଦା ପୂର୍ବ କେନାଢିପା ସରପଞ୍ଚ ସଂଜୟ ଧୁରୁଆ ଅଗ୍ନିଶମ ବିଭାଗ ସୂଚନା ଦେଇଥିଲେ। ଖବର ପାଇ ଜମନକିରା ଅଗ୍ନିଶମ ବାହିନୀ ଓ କୁଚିଣ୍ଡା ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଚଳାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ।