କାର୍‌ ଓ ମୋପେଡ଼ ମୁହାଁମୁହିଁ, ବୃଦ୍ଧ ଦମ୍ପତି ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ନିକଟ ଏକ ପୋଲରେ କାର୍‌ ଓ ଲୁନା ମୋପେଡ଼ ମୁହାଁମୁହିଁ ଧକ୍କା ହେବା ଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଦମ୍ପତି ହେଲେ କୁମ୍ଭାରମୁଣ୍ଡା କଲୋନି ସାହିର କାମଦେବ ଦିଗାଲ ଓ ତାଙ୍କ ସ୍ତ୍ରୀ ବିବିକା ଦିଗାଲ। ଏ ନେଇ ପୁଲିସ କେସ୍‌ ନଂ ୨୧୫/୨୩ ରୁଜୁ କରି  କାର୍‌କୁ ଜବତ କରିଛି। ମୃତ ବ୍ୟକ୍ତିଙ୍କ ବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ ବ୍ରହ୍ମପୁର ପଟୁ କଳାହାଣ୍ଡିର ତୁଷ୍‌ରା ଅଞ୍ଚଳକୁ ଯାଉଥିବା ଏକ କାର୍‌ ଗତକାଲି ରାତି ପ୍ରାୟ ୧୦ଟା ବେଳେ ମୋପେଡ଼ ଯୋଗେ ଯାଉଥିବା ଦମ୍ପତିଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଏଥିରେ ବୃଦ୍ଧ ଦମ୍ପତି ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସ୍ଥାନୀୟ ବାସିନ୍ଦା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସା ପୂର୍ବରୁ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର