ପିପିଲି: ପିପିଲି ଉପକଣ୍ଠ ନିଜିଗଡ଼କୁରଖି ଧଳସାହିର ଏକ ଗଭୀର ପୋଖରୀ ଭିତରକୁ ଏକ କାର୍ ପଶିଯିବା ଫଳରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। କାର୍ ଭିତରେ ଥିବା ଅନ୍ୟ ୪ ଶିଶୁ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାବେଳେ ନିଜିଗଡ଼କୁରଖି ଧଳସାହି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କରେ ଏକ ଅଲ୍ଟୋ କାର୍ ଦ୍ରୁତ ଗତିରେ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍ଟି ଦେଖୁ ଦେଖୁ ଧଳସାହି ନିକଟ ଭଗବତୀ ପୋଖରୀ ଭିତରକୁ ପଶିଯାଇଥିଲା। ଗଭୀର ପାଣିରେ କାର୍ଟି ହଠାତ୍ ବୁଡ଼ିଯାଉଥିବାବେଳେ କିଛି ଲୋକ ସାହସ କରି ଗଭୀର ପାଣିରେ ପଶିଥିଲେ। କାର୍ର କେବଳ ଦୁଇଟି ଚକ ଉପରକୁ ଦେଖାଯାଉଥିବାବେଳେ କାଚ ଭାଙ୍ଗି ଗାଡ଼ି ଚାଳକଙ୍କ ସମେତ ୫ ଜଣ ଶିଶୁଙ୍କୁ ଉଦ୍ଧାର କରି ସେମାନେ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ୨ବର୍ଷର ଶିଶୁକନ୍ୟା କୀର୍ତ୍ତିକାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ୪ ଜଣ ଶିଶୁଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବାରୁ ସେମାନଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାଯାଇଛି। ଦୁର୍ଘଟଣାଗ୍ରସ୍ତ କାର୍ ଓ ସେଥିରେ ଥିବା ମୃତ ଓ ଗୁରୁତର ଶିଶୁମାନେ ପିପିଲି ନିକଟସ୍ଥ ପାତ୍ରସାହି ମଲିକସାହିର ବିଶୁନି ମଲିକଙ୍କ ପରିବାରର ବୋଲି ଗ୍ରାମବାସୀ କହିଛନ୍ତି। ଖବରପାଇ ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ପିପିଲି ଥାନା ଆଇଆଇସି ଦୀପକ କୁମାର ଖଣ୍ତାୟତରାୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp