ସ୍କୁଟି ଉପରେ ଚଢ଼ିଗଲା କାର, ଯୁବତୀ ମୃତ

ଧଉଳି: ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର ଉତରା ଓ ଧଉଳି ଛକ ମଧ୍ୟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ତିଗିରିଆ ଗ୍ରାମର ଶ୍ରୀବତ୍ସ ଭୁଜବଳଙ୍କ ଝିଅ ବେଙ୍ଗଲତ ଭୁଜବଳ  (୨୫) । ସେହିପରି ଅନ୍ୟ ଆହତ ଯୁବତୀ ହେଲେ ଶାନ୍ତିଲତା ଭୁଜବଳ । ହେଲେ ଉଭୟ ଭଉଣୀଙ୍କ ଭିତରୁ ବଡ଼ ଭଉଣୀ  କିଏ  ସାନ କିଏ ସେ ସଂପର୍କରେ ପୁଲିସ ଠାରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ । ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ମୃତାହତ ଯୁବତୀଙ୍କ ପରିବାର ଲୋକଙ୍କୁ ଦାବି ମୁତାବକ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଥିଲା । ଖବର ପାଇ ଧଉଳି ପୁଲିସ ପିସିଆର ଓ ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ହେଲେ ଦୁର୍ଘଟଣା ଘଟିବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଦୁର୍ଘଟଣା ଘଟାଇଥିବା ଉକ୍ତ କାରଟିକୁ ଏଯାଏ ଜବତ କରିପାରି ନାହିଁ ।

ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରିଥିଲେ ହେଁ ଉକ୍ତ କାରଟିକୁ ତୁରନ୍ତ ଜବତ କରି ଚାଳକଙ୍କୁ ଗିରଫ କରୁ ବୋଲି ପରିବାର ଲୋକ ଥାନାରେ ପହଞ୍ଚି ଦାବି କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ନିମ୍ନ ମଧ୍ୟବିତ୍ତ ବର୍ଗର ଶ୍ରୀବତ୍ସଙ୍କ ଦୁଇ ଝିଅ ବେଙ୍ଗଲତା ଓ ଶାନ୍ତି ଭୁବନେଶ୍ବର ୪ ନମ୍ବର ସ୍ଥିତ ଏକ ମଲରେ ଥିବା ଦୋକାନରେ ଚାକିରି କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ପ୍ରତିଦିନ ଭଳି ଆଜି ସକାଳେ ଦୁଇ ଭଉଣୀ ସ୍କୁଟିରେ ଗାଁରୁ ଭୁବନେଶ୍ବର ଅଭିମୁଖେ କାର୍ଯ୍ୟସ୍ଥଳକୁ ଯାଉଥିଲେ । ହେଲେ ଉତ୍ତରା ଛକ ନିକଟରେ ଏକ ଦ୍ରୁତଗାମୀ କାର ସ୍କୁଟି ଉପରେ ଚଢ଼ି ଯାଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ବେଙ୍ଗଲତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ସେମାନଙ୍କୁ ଚିକିତ୍ସା ଲାଗି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିନ ସାଢ଼େ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଶାନ୍ତିଲତା ଘରକୁ ପଳାଇଛନ୍ତି ।

ସମ୍ବନ୍ଧିତ ଖବର