ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୌଡ଼ୀୟ ମିସନ୍‌ ସଭାରେ ଯୋଗଦେଇ ଫେରୁଥିବା ସମୟରେ ଗାଡ଼ିରୁ ଓହ୍ଲାଇ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ। ଏଥିପାଇଁ ରାଷ୍ଟ୍ରପତିଙ୍କ କାରକେଡ୍‌କୁ ଅଧାରେ ଅଟକିବାକୁ ପଡ଼ିଛି। ଗତକାଲି ମହାପ୍ରଭୁଙ୍କ ଦର୍ଶନବେଳେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସିଂହଦ୍ବାର ସହ ବଡ଼ଦାଣ୍ଡ ଛାତ ଉପରେ ଲୋକେ ଅପେକ୍ଷା କରି ରହିଥିଲେ। ଆଜି ବି ପୂର୍ବାହ୍ନରେ ଲୋକେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ। ଏଣୁ ପୂର୍ବାହ୍ନ ପ୍ରାୟ ୧୧ଟାରେ ସଭାରେ ଯୋଗଦେବା ପରେ ମଧ୍ୟାହ୍ନ ୧୨ଟା ୧୫ରେ ସଭାରୁ ବାହାରି ରାଷ୍ଟ୍ରପତି ରାଜଭବନ ଅଭିମୁଖେ କାରକେଡ୍‌ ଭିତରେ ଯାତ୍ରା କରୁଥିଲେ। କିନ୍ତୁ ରାସ୍ତାର ଦୁଇପାର୍ଶ୍ବରେ ଲୋକଙ୍କ ଭିଡ଼କୁ ଦେଖି ଅବକାଶ ଲେନ୍‌ ନିକଟରେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ରାସ୍ତାର ଦୁଇପାର୍ଶ୍ବରେ ଅପେକ୍ଷାରତ ଲୋକଙ୍କୁ ହାତ ହଲାଇବା ସହ ସମ୍ମାନପୂର୍ବକ ଯୋଡ ହସ୍ତରେ ପ୍ରଣାମ ଜଣାଇଥିଲେ। ଯେଉଁଥିପାଇଁ ରାଷ୍ଟ୍ରପତିଙ୍କ କାରକେଡ୍‌କୁ ବି ଅଟକିବାକୁ ପଡ଼ିଥିଲା। ପ୍ରାୟ ଦୁଇ ମିନିଟ୍‌ ରହିବାପରେ ପୁନର୍ବାର ରାଷ୍ଟ୍ରପତି କାରକେଡ୍‌ ସୁରକ୍ଷା ବଳୟ ଭିତରେ କାର୍‌ରେ ବସି ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ।

Advertisment