ନବରଙ୍ଗପୁର: ମୃତ୍ୟୁକାଳୀନ ସରକାରୀ ସହାୟତା ହଡ଼ପ କରିବାକୁ କିଛି ମାସ ହେଲା ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ରୢାକେଟ୍ ସକ୍ରିୟ ରହିଛି। ଜୀବିତ ଲୋକଙ୍କୁ ନକଲି କାଗଜପତ୍ରରେ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ କରୁଛି। ଶ୍ରମ ବିଭାଗ ରେକର୍ଡରେ ମାରି ସାରିଥିବା ୫ଜଣ ହିତାଧିକାରୀ ସାମ୍ନାକୁ ଆସିବା ପରେ ଏହି ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଠୋସ୍ ପ୍ରମାଣ ମିଳିବା ପରେ ତରବରିଆ ଭାବେ ଶ୍ରମ ବିଭାଗ ପକ୍ଷରୁ ୮ଟି ଆବେଦନକୁ ସ୍ଥଗିତ ରଖାଯାଇଛି।
ରାଜ୍ୟ ସରକାର ପଞ୍ଜିକୃତ ଶ୍ରମିକଙ୍କ ମୃତ୍ୟୁ ହେଲେ ପରିବାରକୁ ୨ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ମୃତ୍ୟୁ ପ୍ରମାଣପତ୍ର ସହ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କଲେ ସରକାର ଆକାଉଣ୍ଟରେ ସହାୟତା ରାଶି ଜମା କରନ୍ତି। ତେବେ ଦାଖଲ ହେଉଥିବା ପ୍ରମାଣପତ୍ର ଠିକ୍ ରୂପେ ଯାଞ୍ଚ ହେଉନଥିବାରୁ ଗୋଟିଏ ରୢାକେଟ୍ ଜୀବିତଙ୍କୁ ମୃତ ଦର୍ଶାଇ ସରକାରୀ ସହାୟତାକୁ ହଡ଼ପ କରୁଛି। ଏଥିପାଇଁ ଦୁର୍ଗମ ଗ୍ରାମାଞ୍ଚଳର ନିରକ୍ଷଣ ଶ୍ରମିକଙ୍କୁ ଟାର୍ଗେଟ କରାଯାଉଛି। ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଦେଉଳା, ଡଙ୍ଗରୀଗୁଡା, ବାସନୀ, ଦେଓଦୋରା ଗାଁର ବହୁ ସଂଖ୍ୟାରେ ହିତାଧିକାରୀ ଏହି ରୢାକେଟ୍ର ଶିକାର ହୋଇଛନ୍ତି। ଡଙ୍ଗରୀଗୁଡା ଗାଁର ଖଗପତି ପାଇକ ଜଣେ ଶ୍ରମିକ। କିଛି ମାସ ତଳେ ରୢାକେଟ୍ ସଦସ୍ୟ ତାଙ୍କୁ ଭେଟି ସରକାରୀ ଋଣ ନେବାକୁ ପ୍ରଲୋଭିତ କରିଥିଲା। ଆଧାରକାର୍ଡ, ବ୍ୟାଙ୍କ ପାସ୍ବୁକ୍, ଶ୍ରମିକ କାର୍ଡ ଆଦି ସଂଗ୍ରହ କରିବା ସହ ତାଙ୍କ ପତ୍ନୀଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର କରାଇଥିଲା। ସମସ୍ତ କାଗଜପତ୍ର ନେବା ପରେ ଖଗପତିଙ୍କ ନକଲି ମୃତ୍ୟୁ ପ୍ରମାଣପତ୍ର ଦାଖଲ କରି ରୢାକେଟ୍ ସଦସ୍ୟ ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରିଥିଲା।
ସେହିପରି ଆଜି ନବରଙ୍ଗପୁର ଶ୍ରମ ଆୟୁକ୍ତଙ୍କୁ ଚଟାହାଣ୍ଡି ସରପଞ୍ଚ ଚଞ୍ଚଳା ସାନ୍ତା ଭେଟି ନକଲି ପ୍ରମାଣପତ୍ରରେ ସରକାରୀ ସହାୟତା ହଡ଼ପ ହେଉଥିବା ଜଣାଇଥିଲେ। ଏପରିକି ତାଙ୍କୁ ମିଳିଥିବା କିଛି ନକଲି ପ୍ରମାଣପତ୍ର ମଧ୍ୟ ଦେଖାଇଥିଲେ। ଦେଓଦରା ଗାଁର ଡାଳିମ୍ବ ମାଝୀ ଜୀବିତ ଅଛନ୍ତି, କିନ୍ତୁ ଚଳିତ ବର୍ଷ ଜାନୁଆରି ୧୦ତାରିଖରେ ତାଙ୍କର ମୃତ୍ୟୁ ହୋଇସାରିଥିବା ନେଇ ନକଲି ପ୍ରମାଣପତ୍ର ତିଆରି କରାଯାଇଛି।
ଏପରିକି ଡାଳିମ୍ବଙ୍କ ସ୍ବାମୀ କୋମଳ ଲୋଚନ ମାଝୀ ଏବଂ ପୁଅ ଲୋକେଶ ମାଝୀ ନାମରେ ନକଲି ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରସ୍ତୁତ ହୋଇଛି। ଯେଉଁ ନକଲି ପ୍ରମାଣପତ୍ର ସରପଞ୍ଚଙ୍କ ହସ୍ତଗତ ହୋଇଛି ସେଥିରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ତହସିଲଦାର ପ୍ରେମଲାଲ ହିଆଲ ଜାରି କରିଥିବା ଉଲ୍ଲେଖ ହୋଇଛି। କିନ୍ତୁ ଜିଲ୍ଲାରେ ପ୍ରେମଲାଲ ହିଆଲ ନାମରେ କେହି ତହସିଲଦାର କିମ୍ବା ଅତିରକ୍ତ ତହସିଲଦାର ନାହାନ୍ତି। ଟିକରାଗୁଡ଼ା ଗାଁର ତ୍ରିଲୋଚନ ଜାନୀଙ୍କ ଚଳିତ ବର୍ଷ ଜାନୁଆରି ମାସ ୨୨ତାରିଖରେ ମୃତ୍ୟୁ ହୋଇଥିବା ବେଳେ ସରକାରୀ ଅର୍ଥ ହଡ଼ପ ପାଇଁ ଗତବର୍ଷ ଡିସେମ୍ବର ମାସରେ ତାଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ତିଆରି କରାଯାଇଛି। ଦେଉଳା ଗାଁର ଦେବ ଗୌଡ ମୂଲ ଲାଗିବାକୁ ରାୟଗଡ଼ା ଯାଇଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ଏବଂ ଜୀବିତ ଥିଲେ ମଧ୍ୟ ନକଲି ପ୍ରମାଣପତ୍ରରେ ତାଙ୍କୁ ମାରି ଦିଆଯାଇଛି। କାଗଜପତ୍ରକୁ ଠିକ୍ ରୂପେ ଯାଞ୍ଚ ନକରି ସହାୟତା ରାଶି ଦିଆଯାଉଥିବାରୁ ଚଟାହାଣ୍ଡି ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ସହାୟତା ଦେବା ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଉ ନଥିବା କାରଣରୁ ଅତି ସହଜରେ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରା ଜାଲିଆତ କରି ଟଙ୍କା ହଡ଼ପ ହୋଇଥିବା ସ୍ବୀକାର କରିଛନ୍ତି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।