ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଗତ ସପ୍ତାହେରୁ ଅଧିକ ସମୟ ହେଲା ବାଘ ଆତଙ୍କ ଜାରି ରହିଛି। ଗତକାଲି ଅପରାହ୍ଣରେ ଡିମିରିପଲ୍ଲୀ ଗ୍ରାମ ନିକଟ ଲଙ୍କାଗଡ଼ ପାହାଡ଼ ପାଦଦେଶରେ ଘାସ ଚରୁଥିବା ଏକ ବଡ଼ ବଳଦକୁ ବାଘ ଗୋଡ଼ାଇ ମାରିବା ସହ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇ ତା’ର ପେଟକୁ ଚିରି ଅନ୍ତବୁଜୁଳା ବାହାର କରି କଲିଜାକୁ ଖାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାପରେ ଜଙ୍ଗଲ ନିକଟ ଗାଁଗୁଡ଼ିକରେ ଆତଙ୍କ ଖେଳିଯାଇଥିବା ସହ ଚାଷୀ ଓ ଗୋପାଳକ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ଯନ୍ତା ଓ ଟ୍ରାପ୍ କ୍ୟାମେରା ପ୍ରସ୍ତୁତ କରି ରଖିଛି।

Advertisment

ଗତକାଲି ସନ୍ଧ୍ୟାରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମିଶି ଡିମିରିପଲ୍ଲୀ ପାହାଡ଼ ତଳିଆ ଇଲାକାକୁ ଯାଇ ଅନୁଧ୍ୟାନ କରିଥିଲେ। ରାସ୍ତାଠୁ ଜଙ୍ଗଲ ୨୦୦ ମିଟର ଭିତରେ ଯେଉଁଠି ବଳଦଟିକୁ ବାଘ ଖାଇଥିଲା, ସେଠାରେ ପହଞ୍ଚିଥି‌ଲେ। ବାଘକୁ ଧରିବାକୁ ଆଜି ବନ ବିଭାଗ ପକ୍ଷରୁ ଯନ୍ତା ଭିତରେ ବଳଦର ଶବକୁ ରଖି ଖୋଲା ଛାଡ଼ିଦିଆଯାଇଛି। ପତ୍ର ଆଢ଼ୁଆଳରେ ଯନ୍ତାଟିକୁ ରଖାଯାଇଛି। କାରଣ ବାଘ ଶିକାର କରିବା ପରେ ସଂପୃକ୍ତ ଇଲାକାକୁ ଛାଡ଼ି ପ୍ରାୟତଃ ଦୂରକୁ ଯାଇ ନଥାଏ। କାଳେ ତା’ର ଶିକାରକୁ ଆଉ କିଏ ଖାଇଦେବ କିମ୍ବା ଅନ୍ୟତ୍ର ନେଇଯିବ ଏଥିପାଇଁ ବରାବର ନଜର ରଖିଥାଏ। ଆଉ ସୁବିଧା ଦେଖି ଖାଇବାକୁ ଆସେ। ଫଳରେ ଶିକାର କରିଥିବା ବଳଦକୁ ବାଘ ନିଶ୍ଚିତ ଭାବେ ଖାଇବାକୁ ଆସିବା ଅନୁମାନ କରି ବନ ବିଭାଗ ଏହି ପଦକ୍ଷେପ ନେଇଛି।

ଯନ୍ତା‌ରେ ପଡ଼ି ଯଦି ବାଘ ଗର୍ଜନ କରେ ତା’ହେଲେ ଏହାକୁ ଶୁଣି ବନ ବିଭାଗ ମୁଖ୍ୟାଳୟକୁ ତୁରନ୍ତ ସୂଚନା ଦେବାକୁ ୫୦୦ ମିଟର ଦୂରରେ ଦୁଇଜଣିଆ ସ୍କ୍ବାଡ୍‌ ପହରା ଦେଉଛନ୍ତି। ସେହିପରି ଯନ୍ତା ଚାରିପାଖରେ ଥିବା ଗଛ ଗୁଡ଼ିକରେ ଟ୍ରାପ୍ କ୍ୟାମେରା ମଧ୍ୟ ଖଞ୍ଜାଯାଇଛି। ଯନ୍ତାରେ ନଫସିଲେ ବି କ୍ୟାମେରା ଦ୍ବାରା ତା’ର ଗତିବିଧି ଜଣାପଡ଼ିବ ବୋଲି ସୂଚନା ମିଳିଛି। ୪ ମାସ ହେଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବାଘ ଆକ୍ରମଣରେ ଗାଈ, ବଳଦ, ବାଛୁରୀ ଓ ମଇଁଷିଛୁଆଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବନ ବିଭାଗ ଏଥିପାଇଁ ଟ୍ରାପ୍ କ୍ୟାମେରା ଲଗାଇବା ସହ ଟ୍ରାକିଂ କରୁଥିଲେ ହେଁ କୌଣସି ସୁଫଳ ମିଳିନି।