ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ମା’ ଓ ଛୁଆ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି। କଲରାପତରିଆ ଦୁଇଟି ସପ୍ତାହେ ହେଲା ମରିଥିବା ବେଳେ ବନ ବିଭାଗ ପାଖରେ ଖବର ନଥିଲା। ଆଜି ଗଳିତ ମୃତଦେହ ଗନ୍ଧ ହେବାପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମ ନିକଟରେ କଲରାପତରିଆ ମରିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସାତକୋଶିଆ ଡିଏଫଓ, ଆରସିସିଏଫଓ, ଏସିଏଫଓଙ୍କ ସମେତ ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ। କୁଲାଙ୍ଗୀ ଗ୍ରାମ ନିକଟରେ ଥିବା ଏକ ନାଳରେ ଦୁଇଟି କଲରାପତରିଆ ମରି ପଡିଥିଲେ। ଏହା ସପ୍ତାହେ ପୂର୍ବରୁ ମରିଥିବା ଜଣାପଡିଛି। କଲରାପତରିଆ ନିକଟରୁ ପଚା ଗନ୍ଧ ଆସିବା ପରେ ଘଟଣା ଜଣାପଡିଥିଲା।
ତେବେ ସେହି ନିକଟରେ ବନ ବିଭାଗର ଏକ ବିଟ ହାଉସ ରହିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ମଧ୍ୟ ସେଠାରେ ରହୁଛନ୍ତି। କିନ୍ତୁ ଏହି ଘଟଣା ସମ୍ପର୍କରେ କିଭଳି ସେମାନେ ଜାଣି ପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟ ନେଇ ବିଛା ଯାଇଥିବା ଫାସରେ ପଡି ମା ଓ ଛୁଆ କଲରାପତରିଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସାତକୋଶିଆରେ ଏଭଳି ଘଟଣା ପ୍ରଥମ ଥର ଘଟିଥିବା କୁହାଯାଉଛି, ଯେଉଁଥିରେ କି ଦୁଇଟି ବାଘର ମୃତ୍ୟୁ ହୋଇଛି। ଗୋଟିଏ ବାଘର ବୟସ ୪ବର୍ଷ ଓ ଛୁଆ ବାଘର ବୟସ ୧ ବର୍ଷ ବୋଲି ଜଣାପଡିଛି। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଏଠାରେ ବିଫଳ ହୋଇଛି।