ଝାରସୁଗୁଡ଼ାରେ କାର୍ଡିଓ କେୟାର ସେଣ୍ଟର : ନାଁ ହୃଦ‌୍‌ରୋଗ ଚିକିତ୍ସା କେନ୍ଦ୍ର, ମିଳିବ ସବୁ ଚିକିତ୍ସା!

ଯନ୍ତ୍ରାଂଶ ଯୋଗାଇବ ଓଏସ୍‌ଏମ୍‌ସିଏଲ୍‌
ଜିନିଷ କିଣିବେ ଏସ୍‌ସିବି ବିଶେଷଜ୍ଞ, ଚିକିତ୍ସା ଦାୟିତ୍ବ ନେବ ଘରୋଇ ସଂସ୍ଥା

କଟକ : ଝାରସୁଗୁଡାରେ ହେବ କାର୍ଡିଓ କେୟାର ସେଣ୍ଟର। ଅର୍ଥାତ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର। କିନ୍ତୁ ଏହି ଅତ୍ୟାଧୁନିକ ଚିକିତ୍ସାକେନ୍ଦ୍ରକୁ ନେଇ ଏବେ ଏକ ବିଚିତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏହି କେନ୍ଦ୍ରରେ କେବଳ ହୃଦ୍‌ରୋଗ ନୁହେଁ, ଅନ୍ୟ ରୋଗର ବି ଚିକିତ୍ସା ହେବ। ଏଥିପାଇଁ ଆବଶ୍ୟକ ଉପକରଣ ଯୋଗାଇବ ରାଜ୍ୟ ସରକାରଙ୍କ ସଂସ୍ଥା ଓଏସ୍‌ଏମ୍‌ସିଏଲ୍‌। ଏହି ଯନ୍ତ୍ରାଂଶ ବା ଉପକରଣ କିଣା ପାଇଁ ବିଶେଷଜ୍ଞ କମିଟିରେ ରହିବେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବିଶେଷଜ୍ଞ। ଆଉ ହସ୍ପିଟାଲ ପରିଚାଳନା କରିବ ଘରୋଇ ସଂସ୍ଥା କେୟାର ହସ୍ପିଟାଲ। ପ୍ରାଥମିକ ଭାବେ ଏହି ଅତ୍ୟାଧୁନିକ ହସ୍ପିଟାଲ ପାଇଁ ୫୦ କୋଟିର ଯନ୍ତ୍ରାଂଶ କିଣାଯିବାର ଯୋଜନା ଥିବା ସୂଚନା ମିଳିଛି।

ଝାରସୁଗୁଡାର ଏହି କାର୍ଡିଓ କେୟାର ସେଣ୍ଟର ପାଇଁ କୋଠା ନିର୍ମାଣ କାମ ସରିଗଲାଣି। ଏବେ ଯନ୍ତ୍ରାଂଶକୁ ଅପେକ୍ଷା ଥିବାବେଳେ ଓଡିଶା ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ଏହାର ଦାୟିତ୍ବ ନେଇଛି। ହୃଦ୍‌ରୋଗ ଠାରୁ ଆରମ୍ଭ କରି ନ୍ୟୁରୋସର୍ଜରି, ପ୍ଲାଷ୍ଟିକ୍‌ ସର୍ଜରି ପର୍ଯ୍ୟନ୍ତ ଆବଶ୍ୟକ ପଡୁଥିବା ଉପକରଣ କିଣିବା ତାଲିକା ପ୍ରସ୍ତୁତ ହୋଇଛି। ଏସସିବିର ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ଟିମ୍ ଏହି ଉପକରଣ କିଣିବା ବ୍ୟବସ୍ଥା ଅନୁଧ୍ୟାନ କରିବେ। କିନ୍ତୁ ପ୍ରଥମେ ଏଥିରେ କେବଳ ହୃଦରୋଗ ବିଭାଗର ବିଶେଷଜ୍ଞ ଥିବା ବେଳେ ଅନ୍ୟବିଭାଗର ଉପକରଣ ସେମାନଙ୍କ ତତ୍ବାବଧାନରେ କିଭଳି କିଣାଯିବ, ତାହାକୁ ନେଇ ପ୍ରଶ୍ନ ଉଠିବାରୁ ଏବେ କମିଟିରେ ଅନ୍ୟ ବିଭାଗର ବିଶେଷଜ୍ଞଙ୍କୁ ବି ସାମିଲ କରାଯାଇଛି। ଡିନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପ୍ରଥମେ ପଲ୍‌ମ୍ୟୁନାରୀ ବିଭାଗ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ହୃଦ୍‌ବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟ ରାଉତ୍‌ରାୟ ରହିଥିବା ବ‌େଳେ ପରେ ନ୍ୟୁରୋସର୍ଜରି ବିଭାଗ ବିଶେଷଜ୍ଞ ଡାକ୍ତର ଅନୁପ ମହାପାତ୍ର, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ବିଭୂତି ନାୟକ, ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର, ଇଏନ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ ବେହେରା, ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ମହାପାତ୍ରଙ୍କୁ କମିଟିରେ ସାମିଲ କରାଯାଇଛି।

ତେବେ ହୃଦ୍‌ରୋଗ, କାର୍ଡିଓଥୋରାସିସ୍‌ ବିଭାଗକୁ ଛାଡିଦେଲେ ବାକି ଯେଉଁ ସବୁ ବିଭାଗର ଯନ୍ତ୍ରାଂଶ କିଣାଯିବ ସେ ନେଇ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ସବୁ ସଦସ୍ୟଙ୍କୁ ନେଇ ଏଯାଏ ବୈଠକ ବସିନଥିବାରୁ ଯନ୍ତ୍ରାଂଶ କିଣା ସଂପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନି। ଏ ସଂପର୍କରେ ବିଧିବଦ୍ଧ ତାଲିକା ଯଦିଓ ପ୍ରକାଶ ପାଇନି କିନ୍ତୁ ସୂଚନା ଅନୁଯାୟୀ ଯେଉଁଭଳି ଉନ୍ନତମାନର ଯନ୍ତ୍ରାଂଶ ପାଇଁ ଯୋଜନା ହୋଇଛି, ସେଭଳି ଉପକରଣ ବା ଯନ୍ତ୍ରାଂଶ ଏଯାଏ ଏସ୍‌ସିବିରେ ବି ନାହିଁ। ଏସ୍‌ସିବିର ଅନେକ ଯନ୍ତ୍ରାଂଶ ଏବେ ପୁରୁଣା ହୋଇଯାଇଥିବାବେଳେ ନୂତନ ଯନ୍ତ୍ରାଂଶ ଯୋଗାଣ ପାଇଁ ବାରମ୍ବାର ଚିଠି ଦିଆନିଆରେ ନିଷ୍ପତ୍ତି ଅଟକି ରହିଛି। ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ପ୍ରଥମ କ୍ୟାଥ୍‌ ଲାବ୍‌କୁ ୧୦ବର୍ଷ ବିତି ସାରିଥିବାବେଳେ ୨ୟ ଓ ୩ୟ କ୍ୟାଥ୍ ଲାବ ଅତ୍ୟନ୍ତ ଜରୁରୀ ହୋଇଥିଲେ ବି ବିଭିନ୍ନ ଆଳରେ ତାହା ଘୁଞ୍ଚି ଚାଲିଛି। ଗୋଟିଏ କ୍ୟାଥ୍‌ ଲାବ୍‌ରେ ଅତିବେଶୀରେ ୧୦ଜଣ ଚିକିତ୍ସା ସୁବିଧା ପାଉଥିବାବେଳେ ୫୦ରୁ ଅଧିକ ରୋଗୀ ସବୁବେଳେ ଅପେକ୍ଷାରେ ରହୁଛନ୍ତି ଓ ଅନେକ ସମୟରେ ଚିକିତ୍ସା ନପାଇ ଫେରୁଛନ୍ତି। ଏସ୍‌ସିବି ହେଉଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ। ସରକାର ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ କରିବା ଯୋଜନାରେ ଚାଲିଥିବା ବେଳେ ଏଠି ସର୍ବନିମ୍ନ ଭିତ୍ତିଭୂମି ଏଯାଏ ନଥିବା ବେଳେ ଝାରସୁଗୁଡା ପାଇଁ ଏ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଆଉ ଉଦ୍ଦେଶ୍ୟକୁ ନେଇ ବିଶେଷଜ୍ଞ ମହଲରେ ବି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର