ବାପା-ମା’ଙ୍କୁ କରନ୍ତୁନି ଅସମ୍ମାନ! ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦିନକୁ ଦିନ ସମୟ ବଦଳୁଛି। ଆଉ ତା’ ସହିତ ଲୋକଙ୍କ ଆଚଣ ଏବଂ ଉଚାରଣ ମଧ୍ୟ ବଦଳୁଛି। ଯେଉଁମାନେ ଆମକୁ ଜନ୍ମ ଦେଇ ଦୁନିଆକୁ ଆଣୁଛନ୍ତି ସେହି ଜୀବନ୍ତ ଭଗବାନଙ୍କୁ ବୃଦ୍ଧାକାଳରେ ନିଜପରିବାରରେ ନିର୍ଯାତନା ମିଳୁଛି। ତେବେ ସାବଧାନ୍‌ ଯଦି ବାପା-ମାଆଙ୍କୁ ତାଙ୍କ ସନ୍ତାନମାନେ ଅବହେଳା କି ଦୁର୍ବ୍ୟବହାର କରିବେ ତେବେ ସେମାନଙ୍କୁ ତୁରନ୍ତ ଜେଲ ହୋଇପାରେ। ତେବେ ଯଦି କେହି ନିଜ ବାପା-ମାଆଙ୍କୁ ହଇରାଣ କରନ୍ତି ସେମାନଙ୍କ ବିରୋଧରେ କେଉଁଠି ଓ କେମିତି କରିବେ ଅଭିଯୋଗ? ସେନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ୨୦୦୭ରୁ କେନ୍ଦ୍ର ସରକାରଙ୍କ ‘ମେଣ୍ଟନବିଲିଟି’ ନିୟମକୁ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଲାଗୁ ହେଉଛି। ଯଦି କେହି ବାପା-ମାଆଙ୍କୁ ଅସମ୍ମାନ କରନ୍ତି ତେବେ ସେମାନଙ୍କ ବିରୋଧରେ ଜିଲ୍ଲାର ଉପ-ଜିଲ୍ଲାପାଳଙ୍କ ନିକଟରେ ମାମଲା ଦାୟର କରିହେବ। ଏପରିକି ଉପ-ଜିଲ୍ଲାପାଳଙ୍କ ଠାରେ ଦାୟର କରିଥିବା ମାମଲାର ଫୈସଲା ମଧ୍ୟ କରିପାରିବାର କ୍ଷମତା ଉପଜିଲ୍ଲାପାଳଙ୍କୁ ଦିଆଯାଇଛି। ଆଉ ଏହି ମର୍ମରେ ପୁରୀ ଜିଲ୍ଲାରେ ଜଣେ ଜୈନବ ବ୍ୟକ୍ତି ଅନନ୍ଦ ମହାପାତ୍ରଙ୍କ ନାଁରେ ଯେଉଁ ଅଭିଯୋଗ ହୋଇଥିଲା ତାଙ୍କୁ ମଧ୍ୟ ଉପ-ଜିଲ୍ଲାପାଳ ୨୫ ଦିନ ଜେଲ୍‌ ଦଣ୍ଡ ଶୁଣାଇଥିଲେ।

ଅନ୍ୟପଟେ ସରକାର ବର୍ତ୍ତମାନ ବୃଦ୍ଧ-ବୃଦ୍ଧାମାନଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି । ତେଣୁକରି ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବୃଦ୍ଧ-ବୁଦ୍ଧାମାନଙ୍କ ୨୮୬ଟି ପାରିବାରିକ ହିଂସା କେସ୍‌ ଦାୟର ହୋଇଥିବାବେଳେ ସେଥି ମଧ୍ୟରୁ ୧୧୯ ଗୋଟି କେସ ଫୈସଲା ହୋଇଛି। ଏହାସହ ୧୬୭ଟି ପାରିବାରିକ ହିଂସା କେସର ବିଚାର ଏବେବି ଚାଲୁ ରହିଛି ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଆଉ ସବୁଠାରୁ ବଡ଼ କଥା ହେଲା କି, ପ୍ରତ୍ୟେକ ଜିଲ୍ଲାରେ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନ୍ୟାୟଳୟ ଗଠନ କରାଯାଇ ଆପତ୍ତି ଅଭିଯୋଗକୁ ବିଚାର କରାଉଛି ଏବଂ ଭରଣ ପୋଷଣ ନିମିତ୍ତ ପାଇଁ ସନ୍ତାନ ସନ୍ତତିଙ୍କୁ ଆଦେଶ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

ଅନ୍ୟପଟେ ୩୦ଟି ଜିଲ୍ଲାରେ ‘ଇଣ୍ଟିଗ୍ରେଟେଡ୍‌ ଇଣ୍ଟରଫେସ୍‌ କମ୍ପେଲେକ୍ସ’ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ଯେଉଁଥିରେ ପାଖାପାଖି ୧୫୦ରୁ ୨୨୦ ବୃଦ୍ଧ-ବୁଦ୍ଧାମାନେ ରହିପାରିବେ। ଏହାସହ ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଦୌନନ୍ଦିନ ସୁବିଧା ରହିପାରିବ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ମୋଟ୍‌ ୬୨ କୋଟି ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଚାଲୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସମ୍ବନ୍ଧିତ ଖବର