ଭୁବନେଶ୍ବର: ୮୦ ବର୍ଷ ବୟସର ବୃଦ୍ଧାଙ୍କୁ ଚୂନ ଲଗାଇଲା କେୟାରଟେକର। ବୃଦ୍ଧାଙ୍କ ମନରେ ବିଶ୍ଵାସ ଜନ୍ମାଇ କାମ କରିବା ସମୟରେ ନେଇଗଲା ସୁନା ଅଳଙ୍କାର। ସୁନା ଗହଣା ଚୋରି ଘଟଣା ସହିତ ସଂପୃକ୍ତ କେୟାରଟେକର ତାପସ ନାୟକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଠାରୁ ୩୫ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି।

Advertisment

କମିସନରେଟ୍‌ ପୁଲିସର ଜୋନ୍‌-୩ ଏସ୍‌ପି ପ୍ରଦୀପ ରାଉତ କହିଛନ୍ତି, ଗତ ଦୁଇ ତାରିଖରେ ଅଭିଯୋଗକାରିଣୀ ସୁଜାତା ମହାନ୍ତି (୮୦) ଖଣ୍ଡଗିରି ଥାନାରେ ଚୋରି ହୋଇ ଥିବା ନେଇ ଅଭିଯୋଗ କରିଥିଲେ। ଶ୍ରୀମତୀ ମହାନ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ଜଣା ପଡିଥିଲା ଯେ, ୨୦୨୧ ମସିହାରେ ତାପସ ନାୟକ ନାମକ ଜଣେ ଯୁବକ କେଆରଟେକର ଭାବେ କାମ କରୁଥିଲା। ପରବର୍ତ୍ତୀ ସମୟରେ ସେ ଚାକିରି ଛାଡି ପଳାଇ ଥିଲା। ସେ ପୁଣି ଗତ ଜୁଲାଇ ମାସରେ ପୁଣି ଥରେ ଆସି କାମରେ ଯୋଗ ଦେଇଥିଲା। କିନ୍ତୁ କୌଣସି ଏକ ବାହାନ କରି ପୁଣି ଅଗଷ୍ଟ ମାସରେ କାମ ଛାଡିଥିଲା। ଏକଦା ସୁଜାତା ମହାନ୍ତି କୌଣସି କାରଣରୁ ନିଜ ସୁନା ଚେନ, ମଙ୍ଗଳସୁତ୍ର ଓ କାନଫୁଲ ଖୋଜିବା ବେଳେ ତାହା ନଥିବାର ଦେଖିଥିଲେ। ପାଖାପାଖି ୩୫ ଗ୍ରାମ୍‌ର ସୁନା ଗହଣା ନଥିଲା। ହେଲେ ସେ କେଆରଟେକର୍ ଉପରେ ସନ୍ଦେହ ନକରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ହେଲେ ସବୁ କଥା ଶୁଣିବା ପରେ ପୁଲିସର ସନ୍ଦେହ କେଆରଟେକର ଉପରକୁ ଆସିଥିଲା। ପୁଲିସ ତଦନ୍ତ କରି ଏହି କେଆରଟେକରକୁ ଧରିବାରେ ସକ୍ଷମ ହୋଇଛି। ଚୋରି ହୋଇଥିବା ସମସ୍ତ ସୁନା ଗହଣା ଜବତ କରାଯାଇଛି।