ହାଇସ୍କୁଲ ଛାତ୍ରୀଙ୍କୁ କ୍ୟାରିଅର ସଚେତନତା, ୨୫୮ ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା

ଭୁବନେଶ୍ବର: ୩୦ ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ ହୋଇଛି। ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟ ଛାତ୍ରୀମାନେ ଡିଜିଟାଲ ସାକ୍ଷର ହେବା ସହ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ। ଏହି ବିଦ୍ୟାଳୟଗୁଡ଼ିକ ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ରୋଲ୍‌ ମଡେଲ୍‌ ହେବେ। ରାଜ୍ୟ ଓ ଜିଲ୍ଲାସ୍ତରରେ ଏଥିପାଇଁ ଆଇବିଏମ୍‌ ଓ ଏହାର ସହଯୋଗୀ କ୍ବେଷ୍ଟ ଆଲିଆନ୍ସ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରଙ୍କୁ ପ୍ରସ୍ତୁତ କରିବେ। ଫଳରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ସହ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହ ସମତୁଲ ଭାବେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୁବିଧାର ଶୁଭାରମ୍ଭ କରିବା ସହ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ଦାଶ କହିଥିଲେ ଯେ ୨୦୧୮-୧୯ ଶିକ୍ଷାବର୍ଷରେ ଓଡ଼ିଶାର ସ୍କୋର ୭୪୯ ଥିବା ବେଳେ ୨୦୧୯-୨୦ ଶିକ୍ଷା‌ବର୍ଷରେ ତାହା ୮୩୮କୁ ବୃଦ୍ଧି ପାଇଛି। ଯାହାକି ରାଜ୍ୟ ମାନ୍ୟତାକୁ ସମୃଦ୍ଧ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ବଳରେ ରାଜ୍ୟରେ ଶିକ୍ଷା ଭିତ୍ତିଭୂମି, ପରିଚାଳନା ଓ ସମତା ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ଉଲ୍ଲେଖ କରିଥିଲେ। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏହି ଯୋଜନା ଅଧୀନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରବର୍ତୀ ସମୟରେ ଏକ ହଜାର ହାଇସ୍କୁଲକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ବ ଦେଇଥିଲେ।

ଆଇବିଏମ୍‌ ଷ୍ଟେମ୍‌ ଶୁଭାରମ୍ଭ ପରେ ୪ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ ଭର୍ଚୁଆଲ ସୁବିଧା ପ୍ରଦାନ ଲାଗି ଆବଶ୍ୟକୀୟ ଦକ୍ଷତା, ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା‌ ଉପରେ ତାଲିମ ପ୍ରଦାନ କରାଯିବ। ଶିକ୍ଷକମାନେ ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନର ବିଭିନ୍ନ ଯୋଜନା ବିଷୟରେ ଏଥିରେ ଅବଗତ ହେବେ। ଏହାବ୍ୟତୀତ ଅଧିକ ସଂଖ୍ୟାରେ ଛାତ୍ରୀଙ୍କୁ ଷ୍ଟେମ୍‌ ମାଧ୍ୟମରେ କ୍ୟାରିଅର ପସନ୍ଦ ପାଇଁ ବାଟ ଫିଟିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଲଚନ୍ଦ୍ରନ୍‌ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର