୧୦ ବିଶ୍ବବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ ସେଲ୍‌

୨୦ ବୃତ୍ତି ପାଇଁ ଗୋଟିଏ ସ୍କଲାରସିପ୍‌ ପୋର୍ଟାଲ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗରେ ‘୫-ଟି’ ଲାଗୁ ହେବା ପରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଅଣାଯାଇଛି। ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନଠାରୁ ଆରମ୍ଭ କରି ଉପସ୍ଥାନ ପର୍ଯ୍ୟନ୍ତ, ସବୁଠି ‘୫-ଟି’କୁ କଡ଼ାକଡ଼ି ଲାଗୁ ହୋଇଛି। ପରିଣାମସ୍ବରୂପ ଉଚ୍ଚଶିକ୍ଷାରେ ସଂସ୍କାର ଆସିପାରିଥିବା ନେଇ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡିଙ୍କୁ ଅବଗତ କରାଯାଇଛି। ବିଭାଗୀୟ ଉପ ସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ କହିଛନ୍ତି ଯେ ‘୫-ଟି’ ମାଧ୍ୟମରେ ଏକକ ମେଧାବୃତ୍ତି ବ୍ୟବସ୍ଥା ଲାଗୁ ହୋଇଛି। ଏହା ଅଧୀନରେ ୭ଟି ବିଭାଗର ୨୦ଟି ବୃତ୍ତି ପାଇଁ ଗୋଟିଏ ସ୍କଲାରସିପ୍‌ ପୋର୍ଟାଲ କରାଯାଇଛି। ସ୍କଲାରସିପ୍‌ କାଉନସିଲ୍‌ ଗଠନ ହୋଇଛି। ୨୦୨୦ ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୃତ୍ତି ପୋର୍ଟାଲ୍‌ର ଉ‌ଦ୍‌ଘାଟନ କରିବା ପରେ ଉଚ୍ଚଶିକ୍ଷା ସମେତ ଗଣଶିକ୍ଷା, ବୈଷୟିକ ଶିକ୍ଷା, କୃଷି ବିଭାଗ, ଶ୍ରମ ବିଭାଗ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗର ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି।

ଅଧ୍ୟାପକଙ୍କ ଲାଗି ୭ ଘଣ୍ଟିଆ ଡ୍ୟୁଟି ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା କରାଯାଇ ତଦାରଖ କରାଯାଉଛି। ଛାତ୍ରଛାତ୍ରୀଙ୍କ ଲାଗି କ୍ଲାସରୁମ୍‌ରେ ୭୫% ଉପସ୍ଥାନକୁ ବାଧ୍ୟତାମୂଳକ ହୋଇଛି। ନ ହେଲେ ଛାତ୍ରଛାତ୍ରୀ ଶେଷ ସେମିଷ୍ଟର ପରୀକ୍ଷା ଦେଇପାରିବେ ନାହିଁ। କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିମାନେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରୁଛନ୍ତି। ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍‌ ବଣ୍ଟନ ବ୍ୟବସ୍ଥା ବ୍ଲକ ଓ ଜିଲ୍ଲାସ୍ତରରେ ଚୟନ କରାଯାଉଛି। ଲ୍ୟାପ୍‌ଟପ୍‌ ବଦଳରେ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଛି। ନାମଲେଖା ବ୍ୟବସ୍ଥାର ଅଣାଯାଇଥିବା ସଂସ୍କାର ସମ୍ପର୍କରେ ଜାଣିବା ଲାଗି ସାମ୍‌ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଫିଡ୍‌ବ୍ୟକ୍‌ ନିଆଯିବାକୁ ଯୋଜନା ହେଉଛି। ବାହାର ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀ ଯେପରି ଓଡ଼ିଶାର ପିଲାଙ୍କୁ ଶିକ୍ଷା ଦେଇପାରିବେ ସେଦିଗରେ ପଦକ୍ଷେପ ନିଆଯାଉଛି।

ବିଶ୍ବବିଦ୍ୟାଳୟ ଓ ପ୍ରମୁଖ କଲେଜଗୁଡ଼ିକରେ କ୍ୟାରିଅର କାଉନସେଲିଂ ସେଲ୍‌ ଖୋଲିବାକୁ ସ୍ଥିର ହୋଇଛି। ଏବେ ସୁଦ୍ଧା ୧୦ଟି ବିଶ୍ବବିଦ୍ୟାଳୟରେ ସେଲ୍‌ ଖୋଲାସରିଛି। ଡିଗ୍ରି କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗ‌ରେ ଏକ ଅଂଶବିଶେଷ ସ୍ବରୂପ ସ୍ପୋକନ୍‌ ଇଂଲିଶ କାର୍ଯ୍ୟକାରୀ ହେଉଛି। ତେବେ ଏହା ଉପରେ ବ୍ୟାପକ ବିଚାର ଆଲୋଚନା କରାଯିବ। ସର୍ବଭାରତୀୟ ସେବା ପରୀକ୍ଷା ପାଇଁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଲାଗି ୨୦୧୯-୨୦ଠାରୁ କୋଚିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚ୍‌ରେ ୯୯ ଜଣ ତାଲିମ ନେବା ଲାଗି ନାମ ପଞ୍ଜୀକରଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କୋଚିଂ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନାକ୍‌ ମାନ୍ୟତା ହାସଲ କରିବା ଲାଗି କଲେଜଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଓଡ଼ିଶାର ବିଶ୍ବବିଦ୍ୟାଳୟ ଓ କଲେଜକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରି ବାହାର ରାଜ୍ୟର ପିଲାମାନଙ୍କୁ ଆକୃଷ୍ଟ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ପ୍ରୟାସ ହେଉଛି। ଶିକ୍ଷକ ବଦଳିରେ ସ୍ବଚ୍ଛତା, ଶିକ୍ଷାନୁଷ୍ଠାନ ପରିଚାଳନା କମିଟି/କାର୍ଯ୍ୟନିର୍ବାହୀ ପରିଷଦକୁ ସଂଶୋଧିତ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର