ବନ୍ଦ ହେବ କ୍ୟାରିୟର କାଉନସେଲିଂ ସେଲ୍‌

ଭୁବ‌ନେଶ୍ବର : ସରକାରୀ ଡିଗ୍ରି କଲେଜରେ ଖୋଲିଥିବା କ୍ୟାରିୟର କାଉନସେଲିଂ ସେଲ୍‌ଗୁଡ଼ିକ ବନ୍ଦ କରାଯିବ। ଉଚିତ କ୍ୟାରିୟର୍‌ ବାଛିବା ସମ୍ପର୍କରେ କଲେଜସ୍ତରରୁ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବ ଲାଗି ଖୋଲିଥିବା ଏହି ସେଲ୍‌ଗୁଡ଼ିକ ମୂଳଲକ୍ଷ୍ୟଠାରୁ ବିଚ୍ୟୁତ ହେଉଛି। ଆଶାନୁରୂପ ସଫଳତା ମିଳୁ ନ ଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ଫେବ୍ରୁଆରି ୨୮ ସୁଦ୍ଧା ସରକାରୀ ଅନୁଦାନର ବଳକା ଅର୍ଥ ବିଭାଗକୁ ଫେରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟର ୫୨ଟି ସରକାରୀ କଲେଜରେ କ୍ୟାରିୟର କାଉନସେଲିଂ ସେଲ୍‌ ପ୍ରତିଷ୍ଠା ହୋଇଥିଲା। ପ୍ରତି ସେଲ୍‌ ପାଇଁ ୩ ଲକ୍ଷ ଟଙ୍କା ହିସାବରେ ୨୦୧୮-୧୯ ଶିକ୍ଷାବର୍ଷରେ ୧ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସେହି ଅନୁଯାୟୀ କଲେଜଗୁଡ଼ିକୁ ଅର୍ଥ ଦିଆଯିବା ସହ ୨୦୧୯ ଫେବ୍ରୁଆରି ୨୮ ସୁଦ୍ଧା ସେଲ୍‌ ପ୍ରତିଷ୍ଠା କରିବାକୁ ନିର୍ଦେଶ ‌ଦିଆଯାଇଥିଲା। ଇତିମଧ୍ୟରେ ଦୁଇ ବର୍ଷ ପୂରି ଯାଇଥିଲେ ମଧ୍ୟ ସେଲ୍‌ଗୁଡ଼ିକ ସେତେଟା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏମିତିକି ୨୦୨୦ ଜାନୁଆରି ସୁଦ୍ଧା ଗୋଟିଏ ବି କଲେଜ ୟୁସି ଦାଖଲ କରି ନ ଥିବାରୁ ବିଭାଗ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରା‌ଯିବା ସହ ସେଲ୍‌ ପ୍ରତିଷ୍ଠା ହୋଇଛି କି ନାହିଁ, ସେନେଇ ଜଣାଇବାକୁ କୁହାଯାଇଥିଲା। ତେବେ ଅଧିକାଂଶ କଲେଜ ଏ ଦିଗରେ ପଦ‌କ୍ଷେପ ନେଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର