ଆରମ୍ଭ ହେଲା କାର୍ଗୋ ବିମାନ ସେବା : ଦିଲ୍ଲୀରୁ ଔଷଧ ଆସିଲା

ଭୁବନେଶ୍ବର : ମାର୍ଚ୍ଚ ୨୫ରୁ ସାରା ଦେଶରେ ବନ୍ଦ ‌ହୋଇଥିବା କାର୍ଗୋ ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ବିମାନ ଓ ଆଲିଆନ୍ସ ଏୟାରର ବିମାନଗୁଡ଼ିକ ବିଭିନ୍ନ ସହରରେ ଆଜି ଔଷଧ ବିତରଣ କରିଛନ୍ତି। ଆଜି ଏୟାର ଇଣ୍ତିଆର ସ୍ବତନ୍ତ୍ର କାର୍ଗୋ ବିମାନ ବିଭିନ୍ନ ଔଷଧ ଆଣି ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲା। ଏଥିରେ ରାଜ୍ୟ ସରକାର ମଗାଇଥିବା ବିଭିନ୍ନ ଔଷଧ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଆସିଥିଲା।

ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବିମାନଟି ନୂଆଦିଲ୍ଲୀରୁ ଭାୟା ରାୟପୁର ହୋଇ ଭୁବନେଶ୍ବର ଆସିଥିଲା। ବିମାନଟି ଅପରାହ୍ନ ୩ଟା ୨୦ରେ ରାୟପୁରରୁ ବାହାରି ଭୁବନେଶ୍ବରରେ ୪ଟା ୫୦ରେ ଅବତରଣ କରିଥିଲା। ଏଠାରୁ ୫ଟା ୨୦ରେ ବାହାରି ଦିଲ୍ଲୀରେ ୮ଟା ୨୦ରେ ଅବତରଣ କରିଥିଲା।

ଏହି କାର୍ଗୋ ବିମାନରେ ଓଡ଼ିଶାକୁ ୨୦ଲକ୍ଷ ୨୦ହଜାର ମାସ୍କ ଆସିଥିବା ବେଳେ ଏଥିରେ ୨୦ହଜାର ଏନ୍‌-୯୫ ମାସ୍କ ଓ ବାକି ତ୍ରିସ୍ତରୀୟ ମାସ୍କ ରହିଛି। ମାସ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ଔଷଧ ନିଗମ ମଗାଇଥିବା ବିଭିନ୍ନ ଔଷଧ ଆସିଛି।

ଏବେ ଔଷଧୀୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିଭିନ୍ନ ରାଜ୍ୟରୁ ଆସିବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସାମଗ୍ରୀ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର