୧୬ ବର୍ଷର ନିଖୋଜଙ୍କୁ ଫେରାଇ ଆଣିଲା କରୋନା, ମୃତ ଭାବି ଶୁଦ୍ଧିକ୍ରିୟା ସାରିଥିଲେ ପରିବାର

ଚନ୍ଦାହାଣ୍ଡି : ଅନେକ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଥିବା କରୋନା ଏବେ ଏକ ପରିବାର ପାଇଁ ଆଣିଦେଇଛି ଖୁସି। ଏପରି ଖୁସି ଦେଖାଦେଇଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଳବେଡ଼ା ଗ୍ରାମରେ। ମୃତ ଭାବି ନିଖୋଜ ପୁଅର ଶୁଦ୍ଧିକ୍ରିୟା ସାରିଦେଇଥିଲେ ବାପାମା’। କିନ୍ତୁ କରୋନା ଦୟାରୁ ଏବେ ଘରକୁ ଫେରିବ ନିଖୋଜ ପୁଅ। ଗତକାଲି ପୁଅ ଭୁବନେଶ୍ବରକୁ ଆସି ଝରିଗାଁ ବିଧାୟକଙ୍କ ନିକଟରେ ପହଞ୍ଚି ନିଜର ପରିଚୟ ଦେଇଛି। ପୁଅ ଫେରିବ ଶୁଣିବା ପରେ ଆତ୍ମବିଭୋର ହୋଇପଡିଛନ୍ତି ପରିବାର ଓ ଆତ୍ମୀୟସ୍ବଜନ।

ମିଳିଥିବା ସୂଚନା ଅନୁଯାୟୀ, ଦଳବେଡା ଗ୍ରାମର ପିତା ଅମୃତ ମାଝୀ ଓ ମାତା ଧନବାଲି ମାଝୀଙ୍କ ପୁଅ ଭୁବନେ ମାଝୀ ରୋଜଗାର ପାଇଁ ପ୍ରାୟ ୧୬ ବର୍ଷ ପୂର୍ବେ ଘରୁ ପାଦ କାଢ଼ିଥିଲେ। ସେ ଘରୁ ଗଲା ପରଠାରୁ ତାଙ୍କର କୌଣସି ଖୋଜଖବର ନ ଥିଲା। ଦୀର୍ଘବର୍ଷର ଅପେକ୍ଷା ପରେ ପୁଅ ଆଉ ଘରକୁ ଫେରିଲା ନାହିଁ। ଶେଷରେ ବାପାମା’ଙ୍କ ମନକୁ ପାପ ଛୁଇଁଲା। ପୁଅ ଏହି ଦୁନିଆରେ ଆଉ ନ ଥିବ ଭାବି ସାମାଜିକ ରୀତି ଅନୁଯାୟୀ ତା’ର ଦଶାହ କାର୍ଯ୍ୟ ସମାପନ କରିଦେଇଥିଲେ। ହେଲେ ସମୟର ଖେଳ କିନ୍ତୁ କିଛି ଅଲଗା ଥିଲା। ଗତ କରୋନା ସମୟରେ ଓଡ଼ିଶା ସରକାର ନିଜ ରାଜ୍ୟର ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବା ଦ୍ୱାରା ଗୁଜରାଟର କାମଷ୍ଟୋର ନାମକ ଏକ ଘରୋଇ କମ୍ପାନିରେ ଏହି ନିଖୋଜ ଯୁବକ ଭୁବନେ ମାଝୀ କାର୍ଯ୍ୟ କରୁଥିବା ନଜରକୁ ଆସିଥିଲା।

ଏହାପରେ ଏହି ଯୁବକ ଜଣକ କୌଣସି ପ୍ରକାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଯୋଗାଯୋଗ କରିବାପରେ ସାଂସଦ ଶ୍ରୀ ମାଝୀ ଦଳବେଡା ସରପଞ୍ଚ ସସ୍ମିତା ମାଝୀ ଓ ସମ୍ବାଦ ପ୍ରତନିଧିଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ। ଏହି ଯୁବକ ଜଣକ ସରପଞ୍ଚ ସସ୍ମିତା ମାଝିଙ୍କ ସହାୟତାରେ ତାଙ୍କ ପିତାମାତାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହେଲା ପରେ ପରିବାର ଲୋକେ ଖୁସିରେ ଆତ୍ମବିଭୋର ହୋଇପାଇଥିଲେ। ତେବେ ଗତବର୍ଷ ଭୁବନେ ମାଝୀ ପାଖରେ ଆଧାର କାର୍ଡ କିମ୍ବା କୌଣସି ଆବଶ୍ୟକ କାଗଜପତ୍ର ନ ଥିବାରୁ ସେ ଏଠାକୁ ଆସିପାରିନଥିଲେ।

ଆଜି ଭୁବନେ କୌଣସିମତେ ଭୁବନେଶ୍ବରରେ ପହଞ୍ଚି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ଘରେ ପହଞ୍ଚିଥିବା ବିଧାୟକ କହିଛନ୍ତି। ଆସନ୍ତା ୨ ଦିନ ମଧ୍ୟରେ ସେ ଘରକୁ ଫେରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର