କରୋନା ପାଇଁ ଜେଲରୁ ମୁକୁଳିଲେ ୧୬ହଜାର ୭୮୯ଜଣ କଏଦୀ

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ବାହାରେ ନୁହେଁ ବରଂ ଜେଲ ଭିତରେ ଥିବା କଏଦୀଙ୍କୁ କରୋନା ଭୟରେ ସଂକ୍ରମଣର ଆଶଙ୍କା ବଢ଼ି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଜେଲମାନଙ୍କରୁ ପାଖାପାଖି ୧୬ ହଜାର ୭୮୯ କଏଦୀଙ୍କୁ ମୁକୁଳା ଯାଇଛି। ଯେଉଁଥିରେ ବିଚାରାଧୀନ କଏଦୀ ୧୬ ହଜାର ୬୩୯ ଜଣ ରହିଛନ୍ତି। ଏବଂ ୧୫୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଅଛନ୍ତି ।

୩୦ଟି ଜିଲ୍ଲାରେ ୮୭ଟି ଜେଲରୁ ଏହି କଏଦୀଙ୍କୁ ମୁକ୍ତ କରାଯାଇଛି । ମାର୍ଚ୍ଚ ୨୦ରୁ ଜୁଲାଇ ୨୮ତାରିଖ ପର୍ଯ୍ୟନ୍ତ ୧୬ ହଜାର ୭୮୯ କଏଦୀଙ୍କୁ ମୁକ୍ତ କରାଯାଇଥିବା ନେଇ ଜେଲ ବିଭାଗ ପକ୍ଷରୁ ଏକ ପ୍ରେସ ନୋଟ ଜାରି କରାଯାଇଛି। ଏଥିରେ କୁହାଯାଇଛି , ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଏହି ନିଷ୍ପତି ନେଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଗଠନ ହୋଇଥିବା ଏହି କମିଟିରେ ଜିଲ୍ଲା ଜଜ, ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ଆରକ୍ଷୀ ଅଧିକ୍ଷକ ଓ ଜେଲ ଅଧିକ୍ଷକ ଥିଲେ । ଜେଲରେ ଭିଡ କମ କରିବା ପାଇଁ ଏହି ନିଷ୍ପତି ନିଆଯାଇ କଏଦୀଙ୍କୁ ମୁକ୍ତ କରାଯାଇଛି । ବ୍ରହ୍ମପୁରରୁ ଜେଲରୁ ୫ ହଜାର ୨୩୧, ସମ୍ବଲପୁରରୁ ୩ ହଜାର ୭୧୬,କଟକରୁ ୩ ହଜାର ୪୬୫, ବାରିପଦାରୁ ୨ ହଜାର ୭୩୩, କୋରାପୁଟରୁ ୧୬ ଶହ ୪୪ଙ୍କୁ ମିଶାଇ ମୋଟ ୧୬ ହଜାର ୭୮୯ ଜଣ କଏଦୀଙ୍କୁ ମୁକ୍ତି କରାଯାଇଛି ।

ସମ୍ବନ୍ଧିତ ଖବର