ବାରିପଦା: ଅନ୍ତଃରାଜ୍ୟ ବାଘଛାଲ ଚୋରା ଚାଲାଣ ରୢାକେଟ୍ର ପର୍ଦ୍ଦାଫାସ୍ କରିଛି ବନ ବିଭାଗ। ଏହି ରୢାକେଟ୍ରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ୩ଟି କଲରାପତରିଆ ବାଘଛାଲ ସମେତ ୭ଟି ମୋବାଇଲ୍, ୨ଟି ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଜଣେ ଶିକ୍ଷକ ଏହି ରୢାକେଟ୍ର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ଜଣେ ତାନ୍ତ୍ରିକ ଘରେ ବାଘଛାଲ ରଖିଲେ ଧନପ୍ରାପ୍ତି ହେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ବାରିପଦା ଡିଏଫ୍ଓ ଏ ଉମା ମହେଶ ଓ ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା।
ଗିରଫ ଅଭିଯୁକ୍ତମାନେ ହେଲେ; ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗ୍ରାମର ଅମର କୁମାର ସିଂ (୪୦), ବାଲେଶ୍ବର ବରହମ୍ପୁର ଥାନା ଅଧୀନ କେନ୍ଦୁଆ ଗ୍ରାମର ସୁନାରାମ ହେମ୍ବ୍ରମ (୫୯), ମୟୂରଭଞ୍ଜ ବଡ଼ସାହି ଥାନା ଯଦୁନାଥପୁର ଗ୍ରାମର ରାଇସେନ ଚପିଆର (୪୫), ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗ୍ରାମର ଶିକ୍ଷକ ମନୋରଞ୍ଜନ ଟିପିରିଆ (୪୮), ଖୁଣ୍ଟା ଥାନା ପଶୁଦା ପଞ୍ଚାୟତ କୁଆଁରପାଳ ଗ୍ରାମର ସେରମାଶ୍ରୀ ସୋରେନ (୨୭) ଓ ଉଦଳା ଥାନା କୁଟଲିଂ ଗ୍ରାମର ଚମ୍ପାଇ ମୁର୍ମୁ (୩୨)।
ତନ୍ତ୍ର ସାଧକ ଦେଖାଉଥିଲା ଧନପ୍ରାପ୍ତିର ଲୋଭ
ବାଲେଶ୍ୱରରୁ ଛତିଶଗଡ଼କୁ ଲମ୍ବିଛି ଚେର
ଓୟୁଏଟିକୁ ପଠାଗଲା ଜବତ ୩ ବାଘଛାଲ
ଶିକ୍ଷକ, ତାନ୍ତ୍ରିକ ସମେତ ୭ ଗିରଫ
ସୂଚନା ଅନୁସାରେ, ଘରେ ବାଘଛାଲ କିମ୍ବା ଦାନ୍ତ ରଖି ପୂଜା କଲେ ଧନପ୍ରାପ୍ତି ଓ ସୁଖସମୃଦ୍ଧି ମିଳିବ ବୋଲି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମାଇ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବିଶେଷସୂତ୍ରରୁ ଖବର ପାଇଥିଲା ଶିମିଳିପାଳ ୱାଇଲ୍ଡଲାଇଫ୍ ଇଣ୍ଟେଲିଜେନ୍ସ ନେଟ୍ୱାର୍କ। ଏହି ତଥ୍ୟ ଆଧାରରେ ବନ ବିଭାଗ କର୍ମଚାରୀମାନେ ଗ୍ରାହକ ସାଜି ନୀଳଗିରିର ଅମରଙ୍କ ସହ ମୂଲଚାଲ ଆରମ୍ଭ କରିଥିଲେ। ଅମରଙ୍କୁ ଗିରଫ କରିବାପରେ ତାଙ୍କ ସୂଚନା ଆଧାରରେ ବରହମ୍ପୁରର ସୁନାରାମ ଓ ଉଦଳାର ଚମ୍ପାଇଙ୍କୁ ମଧ୍ୟ ଗିରଫ କରିଥିଲା ବନ ବିଭାଗ। ଏହାପରେ କୁଅଁରପାଳର ସେରମାଶ୍ରୀ ଘରେ ଚଢ଼ଉ କରି ଏକ ବାଘଛାଲ ଜବତ କରାଯାଇଥିଲା। ସେରମାଶ୍ରୀର ସୂଚନା ଆଧାରରେ ଶିକ୍ଷକ ମନୋରଞ୍ଜନ ଓ ରାଇସେନକୁ ଧରିଥିଲେ। ଶେଷରେ ନିଜ ଘରେ ବାଘଛାଲ ରଖି ତନ୍ତ୍ରମନ୍ତ୍ର କରୁଥିବା ପାଉଁଶିଆ ଗ୍ରାମର ଗୁରୁପ୍ରସାଦଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଥିଲା। ଗୁରୁପ୍ରାସଦଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ଓ ଛତିଶଗଡ଼ର ବେପାରୀଙ୍କ ସଂପର୍କ ଥିବା ଜଣାପଡ଼ିଛି। ସେହିପରି ଗୁରୁପ୍ରସାଦଙ୍କ ମୋବାଇଲ୍ରୁ କିଛି ଆପତ୍ତିଜନକ ଭିଡିଓ ମିଳିଥିବା ବେଳେ ପୁଲିସ ସହଯୋଗରେ ଏନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।
ଜବତ ଛାଲ ଆଧାରରେ ଗୋଟିଏ ବାଘର ବୟସ ପ୍ରାୟ ୫ ବର୍ଷ ଓ ଅନ୍ୟ ଦୁଇଟି ୩ ବର୍ଷର ଥିଲେ ବୋଲି ଅନୁମାନ କରାଯାଉଛି। ଛତିଶଗଡ଼ରୁ ୩ଟି ଯାକ ବାଘଛାଲ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ପ୍ରକୃତରେ କେଉଁ ଜଙ୍ଗଲରୁ ଓ କେବେ ଏହି ବାଘ ଶିକାର କରାଗଲା ସ୍ପଷ୍ଟ ହୋଇନି। ଜବତ ବାଘଛାଲଗୁଡ଼ିକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଥିବା ଶିମିଳିପାଳ ଉପନିର୍ଦ୍ଦେଶକ ଶ୍ରୀ ଗୌଡ଼ା ସୂଚନା ଦେଇଛନ୍ତି।