ଖଇରପୁଟ: ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହିବା ପରେ ଗର୍ଭବତୀଙ୍କୁ ଭାରରେ ବୋହିଛନ୍ତି ଗ୍ରାମବାସୀ। ୧୦ କିମି ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଲକାନଗିରିଜିଲ୍ଲା ଖଇରପୁଟ ବ୍ଲକ୍ ମୁଦୁଲୀପଡ଼ା ପଞ୍ଚାୟତର ବଣ୍ଡାଘାଟିରେ ଜନନୀ ଯନ୍ତ୍ରଣାର ଏପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମେଡିକାଲରେ ପହଞ୍ଚିବା ପରେ ଗର୍ଭବତୀ ସୁନାଇ ଭୋଜ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଚିକିତ୍ସା ପରେ ନବଜାତ ଓ ପ୍ରସୂତି ଉଭୟ ସୁସ୍ଥ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସମ୍ବିତ ଦାସ ସୂଚନା ଦେଇଛନ୍ତି।
ରବିବାର ମଧ୍ୟାହ୍ନରେ ଭୋଜଗୁଡ଼ା ଗାଁର ରଞ୍ଜନ ଭୋଜଙ୍କ ସ୍ତ୍ରୀ ସୁନାଇ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ଆଶା ଦିଦି ରେଖା ମାଣ୍ଡିଙ୍କୁ ସୂଚନା ଦେବା ପରେ ଆମ୍ବୁଲାନ୍ସ ଖଇରପୁଟ ମେଡିକାଲରୁ ବାହାରି ଭୋଜଗୁଡ଼ା ଅଭିମୁଖେ ଯାଇଥିଲା। ଖଇରପୁଟ ବ୍ଲକ୍ ସଦର ମହକୁମାରୁ ଭୋଜଗୁଡ଼ାର ଦୂରତା ୨୫ କିମି। ତୁସାଇପଡ଼ାରୁ ବିଶୋଇଗୁଡ଼ା ୧୦ କିମି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ କାରଣରୁ ଆମ୍ବୁଲାନ୍ସ ଆଗକୁ ବଢ଼ି ପାରିନଥିଲା। ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ି ରହିଥିବାରୁ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ସହ କାଦୁଅରେ ଭର୍ତ୍ତି ହୋଇଯାଇଛି। ଫଳରେ ଆମ୍ବୁଲାନ୍ସ ତୁସାଇପଡ଼ା ଗାଁ ନିକଟରେ ଅଟକି ଯାଇଥିଲା। 
ଖାଲଖମା ଓ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଯିବା ସମ୍ଭବ ନଥିବା ଡ୍ରାଇଭର ଅବଗତ କରିବା ପରେ ଗ୍ରାମବାସୀ ଭାର କରି ସୁନାଇଙ୍କୁ ୧୦ କିମି ରାସ୍ତା ବୋହି ବୋହି ଆଣିଥିଲେ। ଘାଟି ରାସ୍ତାରେ ଗର୍ଭବତୀଙ୍କୁ ୧୦ କିମି ଭାରରେ ବୋହି ଆଣିବା ଲାଗି ଗ୍ରାମବାସୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ତୁସାଇପଡ଼‌ାରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ଆଣି ରବିବାର ସନ୍ଧ୍ୟା ୬ଟାରେ ସୁନାଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।