ଗରା, ବାଲ୍‌ଟି ଧରି ଚାଲିଲେ ୧୦ କିମି, ଘେରିଲେ ବ୍ଲକ କାର୍ଯ୍ୟାଳୟ

କାଳିଆପାଣି: ବନ୍ଧଗାଁରେ ପିଇବା ପାଣି ନମିଳିବା ପ୍ରତିବାଦରେ ହାଣ୍ଡି, ବାଲ୍ଟି ଧରି ୧୦ କିଲୋମିଟର ଚାଲିଲେ ମହିଳା। ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଘେରିଲେ। ପଞ୍ଚାୟତ ଅନୁଦାନ ଓ ସହାୟତାରେ ସୁକିନ୍ଦା ବ୍ଲକ ବନ୍ଧଗାଁ ମୌଜାରେ ପ୍ରତିଷ୍ଠିତ ପାନୀୟଜଳ ପ୍ରକଳ୍ପରୁ ପିଇବା ପାଣି ମିଳୁଥିଲା। ବକେୟା ବିଦ୍ୟୁତ୍ ବିଲ୍‌ ନମିଳିବା ଆଳରେ ସୁକିନ୍ଦା ସେକ୍ସନ ଯନ୍ତ୍ରୀ କାହାକୁ ନଜଣାଇ ଏହାର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେଇଥିବା ଅଭିଯୋଗ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ୨ଶହ ପାଖାପାଖି ଗରିବ ଚାଷୀମୂଲିଆ ପରିବାର ହୀନସ୍ତା ହେଲେ। ୱାର୍ଡମେମ୍ବର, ସରପଞ୍ଚ ଓ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ବାରମ୍ବାର ନେହୁରା ହୋଇଥିଲେ ବି କେହି କର୍ଣ୍ଣପାତ କରିନଥିଲେ। ଶେଷରେ ଗାଁର ମହିଳାମାନେ ସଂଘବଦ୍ଧ ଭାବେ ଏହାର ପ୍ରତିବାଦ କରିଥିଲେ। ଖଇର ମହାନ୍ତ, ଲିଲିମଣି ମହାନ୍ତ, କମଳା ମହାନ୍ତଙ୍କ ନେତୃତ୍ବରେ ୫୦ ରୁ ଅଧିକ ମହିଳା ଗାଁରୁ ବାହାରିଥିଲେ।

ହାତ‌ରେ ଥିଲା ଗରା ଓ ବାଲ୍‌ଟି ଧରି ଚାଲିଚାଲି ସିଧା ବ୍ଲକ୍ ଅଫିସ ପହଞ୍ଚିଥିଲେ। ବିଡିଓଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପିଇବା ପାଣିର ବ୍ୟବସ୍ଥା ନକଲେ ଅଫିସ ଛାଡ଼ିବେନି ବୋଲି ମହିଳାମାନେ ଚେତାବନୀ ଦେଇଥିଲେ। ବିଡିଓ ତାପସ କୁମାର ସେଠୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରିଥିଲେ। ସରପଞ୍ଚ, ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ଏକ ସମାଧାନ ବୈଠକରେ ତ୍ବରିତ ସମାଧାନ ନିଷ୍ପତ୍ତି ନେଇଥିଲେ। ପଞ୍ଚାୟତ ପକ୍ଷରୁ ତୁରନ୍ତ ବକେୟା ବିଲ୍‌ ପୈଠ ପାଇଁ ବିଡିଓ ନିର୍ଦେଶ ଦେଇଥିଲେ। ୨ ଲକ୍ଷ ୬ ହଜାର ଟଙ୍କାର ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରାଯାଇ ପାନୀୟ ଜଳ ପ୍ରକଳ୍ପକୁ ପୂର୍ବବତ୍ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ସଂକ୍ରାନ୍ତରେ ବିଡିଓଙ୍କଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର