ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ରେ ପୁଣି ଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତା ସମସ୍ୟା ପାଇଁ ଗର୍ଭବତୀଙ୍କୁ ଖଟିଆରେ ବୋହିଛନ୍ତି ଗ୍ରାମବାସୀ। ସେହିପରି ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଘଞ୍ଚ ଜଙ୍ଗଲ ମଝିରେ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ମହିଳାଙ୍କୁ ଗର୍ଭଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼ିଛି। ତୁମୁଡ଼ିବନ୍ଧ ବ୍ଲକ୍‌ର ଏହି ହୃଦବିଦାରକ ଘଟଣା ପାଇଁ ବିଭିନ୍ନ ମହଲରୁ ସରକାର ତଥା ସ୍ଥାନୀୟ ପ୍ରଶାସନକୁ ନିନ୍ଦା କରାଯାଇଛି।

Advertisment

ତୁମୁଡ଼ିବନ୍ଧ ବ୍ଲକ୍ ନିଲିଙ୍ଗପଦର ଗ୍ରାମର ବାଲେଶ୍ବର ପାଟମାଝୀଙ୍କ ପତ୍ନୀ ଚୁମ୍‌କି ତିନି ମାସର ଗର୍ଭବତୀ ଥିଲେ। ଗତ ଶନିବାର ତାଙ୍କର ଅସହ୍ୟ ପେଟ ଯନ୍ତ୍ରଣା ହେଇଥିଲା। ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଆନ୍ଦୋଳନରେ ଥିବାରୁ ପ୍ରାଥମିକ ଚିକିତ୍ସା ମିଳିପାରିନଥିଲା। ବାଲେଶ୍ୱର ମଧ୍ୟ ପତ୍ନୀଙ୍କୁ ଖଟିଆରେ ବୋହି ୪ଟି ପାହାଡ଼ ଅତିକ୍ରମ କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ସାହାସ କରିପାନିନଥିଲେ। ଚୁମ୍‌କିଙ୍କ ଯନ୍ତ୍ରଣା ବଢ଼ି ଚାଲିଥିବାବେଳେ ରବିବାର ପରିସ୍ଥିତି ଅସମ୍ଭାଳ ପାଲଟିଥିଲା। ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହଯୋଗରେ ୧୦ରୁ ୧୫ ଗ୍ରାମବାସୀ ଏକ ଖଟିଆରେ ମହିଳାଙ୍କୁ ବୋହି ପାହାଡ଼ ଚଢ଼ି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଭିମୁଖେ ଆସିଥିଲେ।

ପାହାଡ଼ ପାର ହେବାପରେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ମାତ୍ର ସେତେବେଳକୁ ତୁମୁଡ଼ିବନ୍ଧରେ ଥିବା ଆମ୍ବୁଲାନ୍ସଟି ଅନ୍ୟତ୍ର ରୋଗୀଙ୍କୁ ଆଣିବାକୁ ଚାଲିଯାଇଥିଲା। ତେଣୁ କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ସେଠାରୁ ଆମ୍ବୁଲାସ୍ସଟି ପହଞ୍ଚିବା ପାଇଁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିବା ବେଳେ ମହିଳା ଜଣଙ୍କ ସେମିତି ଘଞ୍ଚ ଜଙ୍ଗଲ ମଧ୍ୟରେ ଗର୍ଭଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରେ ତାଙ୍କୁ ତୁମିଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ଡାକ୍ତର ଚିକିତ୍ସା ପରେ ଗର୍ଭ ନଷ୍ଟ ହୋଇ ଯାଇଥିବା ଓ ଆଉ ସାମାନ୍ୟ ବିଳମ୍ବ କରିଥିଲେ ମାଆକୁ ମଧ୍ୟ ବଞ୍ଚାଇବା କଷ୍ଟକର ହୋଇଥା’ନ୍ତା ବୋଲି କହିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି। କିଛିଦିନ ତଳେ ଉକ୍ତ ଅଞ୍ଚଳ ପାଇଁ ଆରମ୍ଭ ହୋଇଥିବା ଭ୍ରାମ୍ୟମାଣ ପ୍ରସବ ଯାନ ଓ ବହୁମୁଖୀ ପ୍ରସବ ଯାନ ଉଦ୍‌ଘାଟନ ପରଠୁ ସେମିତି ପଡ଼ି ରହିଛି। ଏଥିରେ ଆବଶ୍ୟକ ଉପକରଣ ନଥିବାବେଳେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହି ଘଟଣା ପାଇଁ ଚୁମ୍‌କି ଓ ବାଲେଶ୍ୱର ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ଦାୟୀ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଅଭିଷେକ ନାୟକ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବାରୁ ଏପରି ଘଟଣାମାନ ଘଟି ଚାଲିଛି ବୋଲି ଅଞ୍ଚଳବାସୀ ସଙ୍ଗିନ ଅଭିଯୋଗ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଫାଇଲ୍ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଘଟଣାର ନିନ୍ଦା କରିଛନ୍ତି।

publive-image

ସୂଚନା ଥାଉକି, ତୁମୁଡ଼ିବନ୍ଧ ବ୍ଲକ୍ ସଦର ମହକୁମାଠାରୁ ୧୦ କି.ମି. ଦୂରରେ ଥିବା ଶହେ ବର୍ଷର ଗ୍ରାମ ନିଲିଙ୍ଗପଦରକୁ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଗ୍ରାମକୁ ଯିବା ପାଇଁ ହେଲେ ୪ଟି ପାହାଡ଼ ପାର କରିବାକୁ ପଡ଼ୁଛି। ଏଥିପାଇଁ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟସେବା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ନାହାନ୍ତି। ଅନେକ ଦାବି ପରେ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ପାଇଁ ମଞ୍ଜୁର ମିଳିଥିଲା। ହେଲେ ବନବିଭାଗ ନିଜର ସଂରକ୍ଷଣ ଅଞ୍ଚଳ କହି ତାହାକୁ ବନ୍ଧ କରିଦେଇଛି।