ଖଣ୍ଡପଡ଼ା: ସାଇକଲ୍‌ ଏପରିକି ବାଇକ୍‌ରେ ମୂଲ୍ୟବାନ ଗଛ କାଟି ନେଉଛନ୍ତି ମାଫିଆ। କଞ୍ଚା ଶାଳ ଗଛ କାଟି ନିଆଯାଉଥିବା ବେଳେ ନିଦରେ ଶୋଇଛି ବନବିଭାଗ। ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ଗୋହିରିଆପଡ଼ା ବିଟ୍‌ ହାଉସରେ ଅଧିକାଂଶ ସମୟ ତାଲା ଝୁଲୁଥିବା ବେଳେ ସଂରକ୍ଷିତ ଜଙ୍ଗଲ ଉଜୁଡ଼ିବାକୁ ବସିଛି। ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ଗୋହିରିଆପଡ଼ା ବିଟ୍‌ ଅଧୀନରେ ଗୋସିଙ୍ଗ ଜଙ୍ଗଲ ଓ ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ଥିବାବେଳେ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ସୂଚନା ମିଳିଛି। ଫଳରେ ମୂଲ୍ୟବାନ ଗଛ ସହ ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପନ୍ନ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ମାର୍ଚ୍ଚ ମାସଠାରୁ ଉକ୍ତ ବିଟ୍‌ ହାଉସରେ ଏହି ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏଠାରେ ନିଯୁକ୍ତ ଫରେଷ୍ଟ ଗାର୍ଡ ଓ ଅନ୍ୟ କର୍ମଚାରୀଙ୍କର ଅନ୍ୟତ୍ର ବଦଳି ହୋଇଛି। ଏଭଳି ସ୍ଥିତିରେ ଦିନତମାମ କାଠ ମାଫିଆ ସକ୍ରିୟ ହେବା ସହ ମୂଲ୍ୟବାନ ଶାଳ, ପିଆଶାଳ ଭଳି ଗଛକୁ କାଟିନେଉଛନ୍ତି। ବନ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ମାଫିଆମାନେ ବାଇକ୍‌ ଯୋଗେ ନିର୍ବିଘ୍ନରେ କାଠ ବୋହିନେଉଥିବା ବେଳେ ଅଟକାଇବାକୁ କେହି ନାହିଁ।

Advertisment

ଗୋସିଙ୍ଗ ସଂରକ୍ଷିତ ଜଙ୍ଗଲରୁ ଗଛ କାଟ୍‌
ଜଙ୍ଗଲ ମେଲା, ବିଟ୍‌ ହାଉସ୍‌ରେ ତାଲା

ଗୋସିଙ୍ଗ ସଂରକ୍ଷିତ ଜଙ୍ଗଲ ଶାଳ ଗଛରେ ଭରପୂର ଥିବାବେଳେ ଏଠାରୁ ମୂଲ୍ୟବାନ ଗଛକୁ ଟାର୍ଗେଟ କରାଯାଇ କାଟିନେଉଛନ୍ତି ମାଫିଆ। ଏପରିକି ମୂଲ୍ୟବାନ ଘରୋଇ ଉପକରଣ ତିଆରି ପାଇଁ ଜଙ୍ଗଲରୁ ଗଛ କାଟିବା ମାଫିଆଙ୍କ ନିୟମିତ ଅଭ୍ୟାସ ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ପ୍ରାୟ ବର୍ଷେ ହେବ ଫରେଷ୍ଟ ଗାର୍ଡ କିମ୍ବା ୱାଚର୍‌ ନଥିବା ଯୋଗୁ ବିଟ୍‌ ହାଉସରେ ତାଲା ଝୁଲୁଥିବା ବେଳେ ମାଫିଆମାନେ ବେଶ୍‌ ସକ୍ରିୟ ହୋଇଛନ୍ତି। ଅନ୍ୟପକ୍ଷରେ କର୍ମଚାରୀଙ୍କ ଅନୁପସ୍ଥିତି ଓ ପାଟ୍ରୋଲିଂ ଅଭାବରୁ କେଉଁଠି ଅବାଧ ଗଛକଟା ହେଲାଣି ତ କେଉଁଠି ଜଙ୍ଗଲ ଜମିରୁ ମାଟି ଲୁଟ୍‌ ହେଉଥିବା ଭଳି ଅଭିଯୋଗ ଆସିଛି। ଫଳରେ ଶାଳ, ଶାଗୁଆନ ଭଳି ମୂଲ୍ୟବାନ ବୃକ୍ଷ ସହ ବିଭିନ୍ନ ପ୍ରକାର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଗୋସିଙ୍ଗ ଓ ଅନ୍ୟ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଉଦିତ ପ୍ରଧାନଙ୍କ ଉଦାସୀନତା ଯୋଗୁ ଏକାଧିକ ଜଙ୍ଗଲ ଏବେ ଛାରଖାର ହେବାକୁ ବସିଥିବା ଅଭିଯୋଗ କରିଛନ୍ତି ଭାରତୀୟ ବିକାଶ ପରିଷଦ ରାଜ୍ୟ ଉପସଭାପତି ନିରଞ୍ଜନ ଦାସ। ଗତ ବର୍ଷକ ମଧ୍ୟରେ ଜଙ୍ଗଲ ନିଆଁ ଆଳରେ ଗଛ ଲୁଟ୍‌, ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର, ନଦୀପଠାରେ ଦିନ ଦ୍ୱିପ୍ରହରେ ବାର୍‌ହା ଶିକାର, ମାଳମାଳ କାଠପଟା ଓ ଗଣ୍ଡି ଜବତ ସହ ସାପୁଆ ଜଙ୍ଗଲରୁ ବେଆଇନ ଭାବେ ବାଉଁଶ ଗଛ ଲୁଟ୍‌ ଆଦି ଘଟଣାରେ ବନବିଭାଗ ବିବାଦୀୟ ହୋଇପଡ଼ିଥିବା ବେଳେ ଜଙ୍ଗଲ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏନେଇ ଉକ୍ତ ବିଟ୍‌ ହାଉସ ଦାୟିତ୍ୱରେ ଥିବା ସୁକାନ୍ତି ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍‌ ବନ୍ଦ ରହିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।