ଭୁବନେଶ୍ବର : କାର୍‌ ଚାଳକ ହୁସିଆର୍‌! ଆପଣ ସନ୍ଧ୍ୟା ପରେ ରାଜଧାନୀର କେଉଁ ନିକାଞ୍ଚନ ରାସ୍ତାରେ ଯାଉଛନ୍ତି କି? ତେବେ ଟିକେ ସତର୍କ ରୁହନ୍ତୁ। ନଚେତ୍‌ ଆପଣ କାର୍‌ ଲୁଟେରାଙ୍କ ହାବୁଡ଼ରେ ପଡ଼ିପାରନ୍ତି। ଏହି ଗ୍ୟାଙ୍ଗ ଆପଣଙ୍କୁ ବନ୍ଧୁକ କିମ୍ବା ମାରଣାସ୍ତ୍ର ଦେଖାଇ କାର୍ ଲୁଟି ନେବେ। ଆବଶ୍ୟକ ପଡ଼ିଲେ, ଆପଣଙ୍କୁ ମଧ୍ୟ କାର୍‌ ଡିକିରେ ପକାଇ ଅପହରଣ କରିପାରନ୍ତି।

Advertisment

ଗତ ଦୁଇ ସପ୍ତାହ ହେବ, ଏକ କାର୍‌ ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ଏଭଳି ଆତଙ୍କ ଖେଳାଇ ଚାଲିଛି। ଏହି ଦୁଇ ସପ୍ତାହରେ ରାଜଧାନୀରେ ୮ଟି କାର୍‌ ଲୁଟ୍‌ ହୋଇସାରିଲାଣି। ନବମ କାର୍ ଲୁଟ୍ େବଳେ କାର ଚାଳକ ଅଳ୍ପକେ ବର୍ତିଛନ୍ତି। ଏ ନେଇ ଖଣ୍ଡଗିରି ଥାନାଠାରୁ ଆରମ୍ଭ କରି ସହିଦନଗର, ମଞ୍ଚେଶ୍ବର, ନୂଆପଲ୍ଲୀ ଓ ବାଲିଅନ୍ତା ଆଦି ଥାନାରେ ଅଭିଯୋଗ ହୋଇଛି। ରାଜଧାନୀରୁ କାର୍‌ ଲୁଟ୍‌ ହେବା ଘଟଣା ଏବେ କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ଲୁଟେରାଙ୍କ ଏଭଳି କାଣ୍ଡ କାର୍‌ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ନୂଆପଲ୍ଲୀ ଥାନା ଅଧୀନ ଆଇଆରସି ଭିଲେଜ ଏନ-୧ରେ ରହୁଥିବା ଶିବ ସୁନ୍ଦର ଦାସଙ୍କୁ କାର୍‌ ସହ ଅପହରଣ ଘଟଣା ଖୋଳତାଡ଼ କରୁ କରୁ ପୁଲିସକୁ ଅନେକ ସାଂଘାତିକ ତଥ୍ୟ ମିଳିଛି। ପୁଲିସ ଏବେ ଜାଣିବାକୁ ପାଇଛି, ଶିବ ସୁନ୍ଦରଙ୍କୁ ଅପହରଣ ନୁହେଁ, ବରଂ ତାଙ୍କ କ୍ରେଟା କାର୍‌କୁ ଲୁଟ୍‌ କରିବାକୁ ଆସିଥିଲେ ଲୁଟେରା। ଶିବ ସୁନ୍ଦର କାର୍‌ ଭିତରେ ଶୋଇଥିବା ବେଳେ ତାଙ୍କୁ କାର୍‌ ସହ ନେଇ ଯାଇଥିଲେ। ସୌଭାଗ୍ୟବଶତଃ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆରଟିଓ ପକ୍ଷରୁ ଚେକିଂ କରାଯିବା ବେଳେ ଲୁଟେରାମା‌ନେ ଖସି ଯିବାକୁ ଚେଷ୍ଟା କରି ଦୁର୍ଘଟଣା ଘଟାଇଥିଲେ। ଲୁଟେରାମାନେ ଚଳାଉଥିବା ଇନୋଭା ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାମାନେ ଛାଡ଼ି ଯାଇଥିବା କାର୍‌ ଜବତ କରିବା ସହ ତା’ ଭିତରୁ ଦୁଇଟି ମାଉଜର୍‌, ଅଫୁଟା ଗୁଳି ଓ ମାରଣାସ୍ତ୍ର ଆଦି ଜବତ କରିଥିଲା। ପୁଲିସ ଇ‌ନୋଭା କାର୍‌ର ନମ୍ବର ଯାଞ୍ଚ କରିବା ବେଳେ ତାର ମାଲିକ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡ଼ିଥିଲା। ସହିଦନଗର ଥାନା ପୁଲିସ ଫୁଲବାଣୀରେ ପହଞ୍ଚି ଜାଣିବାକୁ ପାଇଥିଲା, ସଂପୃକ୍ତ ଇନ‌ୋଭା କାର୍‌ ମାସକ ତଳୁ ଚୋରି ହୋଇଯାଇଛି। ଏ ନେଇ ମାଲିକ ନୟାଗଡ଼ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ରାଜଧାନୀରେ ଅନ୍ୟ କେତୋଟି ଅଞ୍ଚଳରେ ଘଟିଥିବା କାର୍‌ ଲୁଟ୍‌ ଘଟଣାରେ ମଧ୍ୟ ଇନୋଭା କାର୍‌ ବ୍ୟବହାର ହୋଇଛି। ତେଣୁ ପୁଲିସ ସନ୍ଦେହ କରୁଛି, ରାଜଧାନୀ‌ରେ ଘଟୁଥିବା କାର୍‌ ଲୁଟ୍‌ ଘଟଣାରେ ନୟାଗଡ଼ କିମ୍ବା ଫୁଲବାଣୀ ଅଞ୍ଚଳର କେତେକ ଲୁଟେରା ସଂପୃକ୍ତ ଅଛନ୍ତି।

ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ଦୁଇ ତିନିଟି ଲୁଟେରା ଗ୍ୟାଙ୍ଗ୍ ଭୁବନେଶ୍ବରକୁ ଚାଲି ଆସି ଏଭଳି ଲୁଟପାଟ୍‌ରେ ସଂପୃକ୍ତ ଅଛନ୍ତି। ବିଶେଷକରି ସେମାନେ ରାତି ୧୦ଟା ପରେ ଖଣ୍ଡଗିରିରୁ ହଂସପାଳ ଛକ ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥରେ ଏଭଳି ଆତଙ୍କ ଖେଳାଉଛନ୍ତି। ଖଣ୍ଡଗିରି ଥାନା ଅଧୀନ ଘାଟିକିଆ, ସିଇଟି କଲେଜ ନିକଟ, ଜୟଦେବ ବାଟିକା, ଆମ୍ରି ଓ ଏମ୍‌ସ ହସ୍ପିଟାଲ ନିକଟ, ହଂସପାଳ, ହାଇଟେକ୍‌ ଛକ, ପୁରୀ ଭୁବନେଶ୍ବର ନୂଆ ବାଇପାସ ରାସ୍ତାରେ ଏଭଳି ଲୁଟପାଟ ବଢ଼ି ବଢ଼ି ଚାଲିଛି। ଏହି ଲୁଟେରା ଗ୍ୟାଙ୍ଗ୍ ଜଗତସିଂହପୁର ଅଞ୍ଚଳର ବୋଲି ପୁଲିସ ମଧ୍ୟ ଖବର ପାଇଛି। ତେବେ କାର୍‌ ଲୁଟୁଥିବା ଗ୍ୟାଙ୍ଗ୍ ଉପରେ ପୁଲିସ ନଜର ରଖିଛି। ଖୁବ୍‌ ଶୀଘ୍ର ଏହି ଘଟଣାର ପର୍ଦାଫାସ ହେବ ବୋଲି ଉକ୍ତ ଅଧିକାରୀଜଣକ ସୂଚନା ଦେଇଛନ୍ତି।

କେବଳ କାର୍‌ ଲୁଟ୍‌ କାହିଁକି, ଗତ ଦୁଇ ମାସ ହେବ ରାଜଧାନୀ‌ ଏକପ୍ରକାରର ଅସୁରକ୍ଷିତ ହୋଇପଡ଼ିଛି। ଅପରାଧୀଙ୍କ ଆତଙ୍କରେ ଭୟଭୀତ ଓ ଅଣନିଶ୍ବାସୀ ହୋଇ ପଡ଼ିଲେଣି ରାଜଧାନୀବାସୀ। ଲଗାତାର ଭାବେ ସିନ୍ଧିଚୋରି, ଲୁଟପାଟ ଭଳି ଘଟଣା ବଢ଼ି ଚାଲିଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇ ପାରୁନାହିଁ ପୁଲିସ। ଫଳରେ ଏବେ ବିଳମ୍ବିତ ରାତିରେ ରାଜଧାନୀବାସୀ ଯିବା ଆସିବା କରିବାକୁ ଭୟ କଲେଣି।

ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଘଟିଥିବା କେତୋଟି କାର୍‌ ଲୁଟ୍‌:
୧- ଖଣ୍ଡଗିରି ଥାନା ଅଧୀନ ଆମ୍ରି ହସ୍ପିଟାଲ ନିକଟରେ ବନ୍ଧୁକ ମୁନରେ କାର୍‌ ଲୁଟ୍‌
୨- ବାଲିଅନ୍ତା ଥାନା ଅଧୀନ ହଂସପାଳ ଛକ ନିକଟରେ କାର୍‌ ଲୁଟ୍‌ ଓ ଚାଳକଙ୍କୁ ଅପହରଣ
୩- ଖଣ୍ଡଗିରି ଥାନା ଅଧୀନ ଘାଟିକିଆ ଅଞ୍ଚଳରେ ଦିଲ୍ଲୀପ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍‌ ଲୁଟ୍‌
୪- ନୂଆପଲ୍ଲୀ ଆଇଆର୍‌ସି ଭିଲେଜରୁ ଶିବ ସୁନ୍ଦର ଦାସଙ୍କୁ ଅପହରଣ ସହ କାର୍‌ ଲୁଟ୍‌
୫- ମଞ୍ଚେଶ୍ବର ଥାନା ପାଣ୍ଡରାରେ ଛକରେ ଚାଳକଙ୍କ ବେକରେ କଟୁରି ଲଗାଇ କାର୍‌ ଲୁଟ୍‌
୬- ଜୟଦେବ ବାଟିକା ନିକଟରେ ବନ୍ଧୁକ ଲଗାଇ କାର୍‌ ଲୁଟ୍‌
୭- ଘାଟିକିଆ ନିକଟରେ ସୁଚିତ୍ରା ମିଶ୍ର ନାମକ ଜଣେ ମହିଳାଙ୍କଠାରୁ କାର୍‌ ଲୁଟ୍‌ ଉଦ୍ୟମ
୮- ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ଓଭରବ୍ରିଜ୍‌ ଉପରୁ କାର୍‌ ଲୁଟ୍‌ ଉଦ୍ୟମ

ରସୁଲଗଡ଼ ଫ୍ଲାଏ ଓଭର ଉପରେ ବି, ଅଳ୍ପକେ ବର୍ତିଲେ ଚାଳକ, ୫ ଅଟକ

ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜ ଉପରୁ ଆଉ ଏକ କାର୍‌ ଲୁଟ ଉଦ୍ୟମ ହୋଇଛି। ତେବେ କାର୍‌ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟେରାମାନେ ଧରାପଡ଼ିବା ସହ କାର୍‌ଟି ଜବତ ହୋଇଛି। ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୩ ବାଇକ୍‌, ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଜବତ କରିଛି। ପୁଲିସ ଲୁଟେରାମାନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ପୂର୍ବରୁ ରାଜଧାନୀରେ ଘଟିଥିବା ୭ଟି କାର୍‌ ଲୁଟ୍‌ରେ ଏହି ଗ୍ୟାଙ୍ଗ ସଂପୃକ୍ତ ଅଛନ୍ତି କିମ୍ବା ନାହିଁ, ସେ ନେଇ ତଦନ୍ତ ଚାଲିଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଏମିତି ଘଟଣା ଘଟିଥିଲା

ଘଟଣା ଥିଲା ଏହିଭଳି; ଶନିବାର ରାତି ପ୍ରାୟ ସାଢ଼େ ୧୨ଟା। ସିଆରପି ଛକରୁ ସହିଦନଗର ଆସୁଥିଲେ ବିକ୍ରମ କେଶରୀ ଧଳ ନାମକ ବ୍ୟକ୍ତି। ହଠାତ ଜୟଦେବ ବିହାର ଫ୍ଲାଏ ଓଭର ଉପର ତାଙ୍କ କାରକୁ ପଛପଟୁ ହୋଇଥିଲା ଢ଼େଲାମାଡ଼। ବିକ୍ରମ କିଛି ବୁଝି ପାରି ନଥିଲେ। ପଛପଟୁ ଚାହିଁ ଦେଖନ୍ତି ତ ୩ଟି ବାଇକ୍‌ରେ ୭ଜଣ ଯୁବକ ତାଙ୍କୁ ପିଛା କରୁଛନ୍ତି। ଯୁବକମାନେ ହାତରେ ଖଣ୍ଡା, କାତି ଓ ବନ୍ଧୁକ ମଧ୍ୟ ଧରିଥିଲେ। ଯୁବକମାନଙ୍କ ଏଭଳି କାଣ୍ଡ ଦେଖି ବିକ୍ରମ ତାଙ୍କ କାର୍‌କୁ ସହିଦନଗର ଆଡ଼କୁ ନ ନେଇ କଟକ ଆଡ଼େ ଦ୍ରୁତ ଗତିରେ ଚଳାଇଥିଲେ। ଯୁବକମାନେ ମଧ୍ୟ ତାଙ୍କୁ ସେହି ଗତିରେ ପିଛା କରିଥିଲେ। ତେବେ ରସୁଲଗଡ଼ ଫ୍ଲାଏ ଓଭର ଶେଷ ଆଡ଼କୁ ଏକ ପିସିଆର ଭ୍ୟାନ୍‌ ଠିଆ ହୋଇଥିଲା। ପିସିଆର୍‌ ଭ୍ୟାନ୍‌କୁ ଦେଖି ବିକ୍ରମଙ୍କ ସାହସ ହୋଇଥିଲା। ଏହା ପୂର୍ବରୁ ସେ ପୁଲିସ କଂଟ୍ରୋଲ ରୁମ୍-୧୦୦କୁ ଡାଏଲ କରିସାରିଥିଲେ। ପିସିଆର୍‌ ଭ୍ୟାନ୍‌ ପାଖରେ ପହଞ୍ଚିବା ପରେ ମଧ୍ୟ ଲୁଟେରାମାନେ ବିକ୍ରମଙ୍କ ସହିତ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ଏହା ପରେ ପୁଣିଥରେ ବିକ୍ରମ ପୁଲିସକୁ ଫୋନ୍ କରିବା ପରେ କଂଟ୍ରୋଲ ରୁମରୁ ଖବର ପାଇ ଆଉ ୪ଟି ପିସିଆର ଭ୍ୟାନ‌, ମଞ୍ଚେଶ୍ବର, ଲକ୍ଷ୍ମୀସାଗର ଓ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସହିତ ସେହି ଯୁବକମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଯୁବକମାନଙ୍କ ମଧ୍ୟରୁ ୨ ଜଣ ଖସି ଯିବାକୁ ସକ୍ଷମ ହୋଇଥିଲେ। ଆଉ ୫ ଜଣ ଯୁବକଙ୍କୁ ପୁଲିସ ଅଟକ ରଖିବା ସହିତ ସେମାନଙ୍କ ନିକଟରୁ ୩ଟି ବାଇକ, ଖଣ୍ଡା ଓ ବନ୍ଧୁକ ଆଦି ଜବତ କରିଛି।

ବିକ୍ରମଙ୍କ ଅଭିଯୋଗକୁ ଆଧାର କରି ମଞ୍ଚେଶ୍ବର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଟକ ଥିବା ଯୁବକମାନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। ସେମାନେ ରାଜଧାନୀରେ ପୂର୍ବରୁ ଘଟିଥିବା କାର୍‌ ଲୁଟ୍‌ ଘଟଣାରେ ସଂପୃକ୍ତ ଅଛନ୍ତି କିମ୍ବା ନାହିଁ ତାର ଅନୁସନ୍ଧାନ କରାଯାଉଛି ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।