ଭୁବନେଶ୍ବର/ଖଣ୍ଡପଡ଼ା : ଓଡ଼ିଶା ସାମ୍ବାଦିକତାର ଲୋକପ୍ରିୟ କାର୍ଟୁନିଷ୍ଟ, ‘ଢୁମ୍ଫା’ କଳାକାର ଓ ଅଭିନେତା କିଶୋର ରଥ ଆଉ ନାହାନ୍ତି। ଗତ ୩ ଦଶନ୍ଧି ଧରି ‘ସମ୍ବାଦ’ରେ ପକେଟ କାର୍ଟୁନ୍‌ ‘କଟାକ୍ଷ’ ଜରିଆରେ ସାଧାରଣ ଜନତାଙ୍କ ସ୍ବର ହୋଇପାରିଥିବା କିଶୋରଙ୍କ ସୋମବାର ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା। ଦୁଇ ପୁଅ ଦର୍ପଦଳନ, ଦେବଦଳନ ଓ ପତ୍ନୀ ରୋଜାଲିନ ଷଡ଼ଙ୍ଗୀଙ୍କୁ ସେ ଛାଡ଼ି ଯାଇଛନ୍ତି। ଜଣେ ଚିତ୍ରଶିଳ୍ପୀ ସହିତ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା। କେବଳ କାର୍ଟୁନିଷ୍ଟ ଭାବେ ନୁହେଁ, ଢୁମ୍ଫା ସଂଗୀତର ପ୍ରଚାର ପ୍ରସାରରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ‘ସମ୍ବାଦ’ ପରିବାର ସମେତ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳି ଯାଇଯାଇଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଅଗଣିତ ପାଠକ ତାଙ୍କୁ ମନେ ପକାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅପରାହ୍‌ଣରେ ଖଣ୍ଡାପଡ଼ାସ୍ଥିତ ପୈତୃକ ଗ୍ରାମରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Advertisment

publive-image

ସୋମବାର ଭୋର୍‌ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ମାତ୍ର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହସ୍ପିଟାଲରେ ତାଙ୍କ ବହୁ ଶୁଭେଚ୍ଛୁ ଓ ସମ୍ବାଦ ପରିବାରର ବରିଷ୍ଠ କର୍ମକର୍ତ୍ତାମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାହା ପରେ ତାଙ୍କ ମରଶରୀରକୁ ‘ସମ୍ବାଦ’ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଠାରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ସମ୍ବାଦ, କନକ ନ୍ୟୁଜ୍‌, ମଞ୍ଜରୀ ଟିଭି ଓ ରେଡିଓ ଚକଲେଟର କର୍ମଚାରୀ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ବରମୁଣ୍ଡାସ୍ଥିତ ବାସଭବନକୁ ନିଆଯାଇଥିଲା। ‌ପରିବାର ଓ ଆତ୍ମୀୟ ସ୍ବଜନ ଶେଷ ଦର୍ଶନ କଲା ପରେ ଜନ୍ମମାଟି ଖଣ୍ଡପଡ଼ା ଅଭିମୁଖେ ତାଙ୍କର ଶେଷ ଯାତ୍ରା ହୋଇଥିଲା। ବଜାରସାହିସ୍ଥିତ ବାସଭବନରେ ପାର୍ଥିବ ଶରୀର ପହଞ୍ଚିଲା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ।

publive-image

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବ୍ଲକ୍‌ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, ନଗର ବିଜେଡି ସଭାପତି କିଶୋର ଚନ୍ଦ୍ର ଦାଶ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମି ନୟାଗଡ଼ ଜିଲ୍ଲା ପ୍ରତିନିଧି ଅଶୋକ ନାୟକ, ବ୍ୟଙ୍ଗକବି ରବୀନ୍ଦ୍ର ରାଉତ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମାଧବପ୍ରସାଦ ମିଶ୍ର, ଆଇନଜୀବୀ ଗିରିଜା ଶଙ୍କର ତରାସିଆ, ଆଇନଜୀବୀ ବାସୁଦେବ ରଥ, ଗଦାଧର ଢୁମ୍ଫା ସଙ୍ଗୀତ ପରିଷଦର ସଭାପତି ଭାରତୀ ଭୂଷଣ ମିଶ୍ର, ଲେଖକ କୁଳମଣି ଷଡ଼ଙ୍ଗୀ, ଖଣ୍ଡପଡ଼ା ‘ସମ୍ବାଦ ସାହିତ୍ୟଘର’ ସଭାପତି କାଶୀନାଥ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ଜଗଦୀଶପ୍ରସାଦ ମିଶ୍ର, ବାର୍‌ ଆସୋସିଏସନ ସଭାପତି ସଂଗ୍ରାମ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, ବ୍ଲକ୍‌ ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଛାତ୍ର ବିଜେଡି ସଭାପତି ବିଦ୍ୟାରଞ୍ଜନ ପଣ୍ଡା, ଜିଲ୍ଲା ଯୁବ ବିଜେଡି ଉପସଭାପତି ମିହିର କୁମାର ମିଶ୍ର, ପୂର୍ବତନ କାଉନ୍‌ସିଲର ତ୍ରିଲୋଚନ ପଢିଆରୀ, ନଗର ଛାତ୍ର ବିଜେଡି ସଭାପତି ସିମାଞ୍ଚଳ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ଡିଜିଟାଲ ସମ୍ପାଦକ ପ୍ରିୟବ୍ରତ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଶୋକାକୁଳ ପରିବେଶରେ ସ୍ଵର୍ଗତ ରଥଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଉମାଦେବୀସ୍ଥିତ ଶ୍ମଶାନକୁ ନିଆଯାଇଥିଲା। ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା ବେଳେ ବଡ଼ପୁଅ ଦେବଦଳନ ରଥ ମୁଖାଗ୍ନି ଦେଇଥିଲେ।

୧୯୬୩ ମସିହାରେ ଖଣ୍ଡପଡ଼ା ଗଡ଼ରେ ଜନ୍ମିତ କିଶୋର ଖଣ୍ଡପଡ଼ା ଟାଉନ୍‌ ମଡେଲ ସ୍କୁଲ ଓ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ପରେ ଖଲ୍ଲିକୋଟ ଚାରୁକଳା କଳା ମହାବିଦ୍ୟାଳୟରୁ ଫାଇନ ଆର୍ଟସ୍‌ରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଚିତ୍ର ଓ ଶବ୍ଦ ସଂଯୋଜନାରେ ଅପୂର୍ବ ଦକ୍ଷତା ତାକୁ ରାଜ୍ୟବ୍ୟାପୀ ପରିଚିତି ଆଣି ଦେଇଥିଲା। ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ, କ୍ରୀଡ଼ା ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ‘ସମ୍ବାଦ’ର ‘କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିବା ସହିତ କଡ଼ା ସମାଲୋଚନା ମଧ୍ୟ କରୁଥିଲେ। ତାଙ୍କ ରଚିତ ବହୁ ବ୍ୟଙ୍ଗ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ କଳା, ସଂସ୍କୃତି ପ୍ରତି ତାଙ୍କର ଗଭୀର ଦୁର୍ବଳତା ଥିଲା। ଖଣ୍ଡପଡ଼ାର ଲୁପ୍ତ ପ୍ରାୟ କଳା ଢୁମ୍ଫା ସଙ୍ଗୀତ ପ୍ରତି ଆକର୍ଷିତ ହୋଇ ତାହାକୁ ଲୋକପ୍ରିୟ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଖଣ୍ଡପଡ଼ା ଗଦାଧର ଢୁମ୍ଫା ସଙ୍ଗୀତ ପରିଷଦର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ। ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଢୁମ୍ଫା ସଙ୍ଗୀତକୁ ବିଭିନ୍ନ ସ୍ଥାନରେ ପରିବେଷଣ କରିଥିଲେ।

publive-image

ସ୍ତବ୍ଧ ବୃଦ୍ଧ ପିତା ମାତା:
ସ୍ବର୍ଗତ ରଥଙ୍କ ମରଶରୀର ଖଣ୍ଡପଡ଼ାସ୍ଥିତ ବାସଭବନରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଆତ୍ମୀୟ ସ୍ଵଜନ ତଥା ସାହି ପଡ଼ିଶାଙ୍କ ଭିଡ଼ ଜମିଥିବା ବେଳେ କାନ୍ଦରେ ସମଗ୍ର ଅଞ୍ଚଳ ଫାଟିପଡୁଥିଲା। ସକାଳୁ ମୃତ୍ୟୁ ଖବରଶୁଣି ଅଞ୍ଚଳବାସୀ ସହଜରେ ବିଶ୍ବାସ କରିପାରୁନଥିବା ବେଳେ ବୃଦ୍ଧ ବାପା ମା’ ଏକରକମ ସ୍ତବ୍ଧ ହୋଇଯାଇଥିଲେ। ୯୨ ବର୍ଷୀୟ ବାପା କାଳିନ୍ଦୀ ଚରଣ ରଥ କିନ୍ତୁ ଅପରାହ୍ନରେ ମରଶରୀର ଦେଖି ବାହୁନି ବାହୁନି କାନ୍ଦୁଥିଲେ।