ଜଟଣୀ ବିଧାୟକଙ୍କ ବିରୋଧରେ ଏତଲା ଦେଲା ବିଜେପି

ଜଟଣୀ : ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବିରୋଧରେ ଆଜି ବିଜେପି ପକ୍ଷରୁ ଜଟଣୀ ଥାନାରେ ଏତଲା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଧାୟକ ଶ୍ରୀ ରାଉତରାୟ ସର୍ବସମ୍ମୁଖରେ ଅଶାଳୀନ ଶବ୍ଦ ପ୍ରୟୋଗ କରିବା ନେଇ ବିଜେପି ଏହି ଏତଲା ଦେଇଛି। ବିଜେପିର ନାରୀ ନେତ୍ରୀ ରଶ୍ମିମୟୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀମାାନେ ଆଜି ଜଟଣୀ ଥାନାରେ ଲିଖିତ ଭାବେ ଅଭି‌ଯୋଗ କରିଛନ୍ତି ଯେ ଗଣମାଧ୍ୟମ ସମ୍ମୁଖରେ ବିଧାୟକ ଶ୍ରୀ ରାଉତରାୟ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଛନ୍ତି। ତେଣୁ ଶ୍ରୀ ରାଉତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ଜଟଣୀ ଥାନା ଅଧିକାରୀ ବିଶ୍ବରଞ୍ଜନ ସାହୁ କହିଛନ୍ତି ଯେ ବିଧାୟକ ଶ୍ରୀ ରାଉତରାୟଙ୍କ ବିରୋଧରେ ବିଜେପି ପକ୍ଷରୁ ଦାୟର ହୋଇଥିବା ଅଭିଯୋଗ ସେ ପାଇଛନ୍ତି। ଏ ନେଇ ଅନୁସନ୍ଧାନ ଜାରି ରହିଛି। ସତ୍ୟାସତ୍ୟ ଜାଣିବା ପରେ ଅଭିଯୋଗ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର