ହୀରାକୁଦ ବନ୍ଧ ସୁରକ୍ଷା- ଧର୍ମକୁ ଆଖିଠାର, ୩ ଅଭିନେତ୍ରୀ ଓ ମନ୍ତ୍ରୀ ଝିଅଙ୍କ ନାମରେ ଏତଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ଉପର ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ଘଟଣାରେ ପୁଲିସ୍‌ ତଦନ୍ତ ଆଗେଇ ପାରୁନାହିଁ। ସୋମବାର ସଂଧ୍ୟା ସୁଦ୍ଧା ଏ ସଂପର୍କରେ ରିପୋର୍ଟ ଦେବାକୁ ବୁର୍ଲା ଏସ୍‌ଡିପିଓ ଶିଶୁରଂଜନ ମହାପାତ୍ରଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବି ରିପୋର୍ଟ ପ୍ରସ୍ତୁତ ହୋଇପାରି ନ ଥିବା ଜଣାପଡ଼ିଛି। ହୀରାକୁଦ ବନ୍ଧ ସୁରକ୍ଷାର ବିଭିନ୍ନ ନିୟମାବଳିକୁ ଅନୁଧ୍ୟାନ କରାଯାଉଛି ଏବଂ ଏହି ଘଟଣାରେ ସଂପୃକ୍ତ ପକ୍ଷ ଓ ଅଧିକାରୀମାନଙ୍କ ବୟାନ ଓ ମତାମତ ନିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେପଟେ ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଲ ସିଂହ କହିଛନ୍ତି।

ତେବେ ବନ୍ଧ ସୁରକ୍ଷା ଦାୟିତ୍ବରେ ଥିବା ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ (ଓଆଇଏସ୍‌ଏଫ୍‌)ର ଜଣେ ଅଧିକାରୀ କହିଛନ୍ତି ଯେ ଖୋଦ୍‌ ଏସ୍‌ଡିପିଓ ଶ୍ରୀ ମହାପାତ୍ରଙ୍କ କହିବା ଅନୁସାରେ ଆମେ ମନ୍ତ୍ରୀ ନବ ଦାସଙ୍କ ଝିଅ ଓ ତାଙ୍କ ସଂପର୍କୀୟଙ୍କୁ ଡ୍ୟାମ୍‌ ଉପର ଦେଇ ଯିବାକୁ ଅନୁମତି ଦେଇଥିଲୁ। ଅଭିନେତ୍ରୀ କି ଆଉ କିଏ ଗାଡ଼ିରେ ଅଛନ୍ତି, ତାହା ଆମେ ଜାଣି ନଥିଲୁ। ଏକ ଜାଗୁଆର୍‌ ରେଞ୍ଜ ରୋଭର୍‌ ଓ ଏକ ଇନୋଭା ଗାଡ଼ିକୁ ଅନୁମତି ଦିଆଯାଇଥିଲା। ଡ୍ୟାମ୍‌ ଉପରେ ଗାଡ଼ି ନ ଅଟକାଇବାକୁ ଓ ଫଟୋ ନ ଉଠାଇବାକୁ ସେମାନଙ୍କୁ କୁହାଯାଇଥିଲା ବୋଲି ମଧ୍ୟ ଅଧିକାରୀଜଣକ ସୂଚନା ଦେଇଛନ୍ତି। ତେବେ ଭିଡିଓ ସୁଟିଂ ସମୟରେ ଡ୍ୟାମ୍‌ ଉପରେ ତିନିଟି ଗାଡ଼ି ଅଟକିଥିବା ଭିଡିଓରୁ ଦେଖିବାକୁ ମିଳିଛି। ଯଦି ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଥିଲା ତ‌େବେ ତୃତୀୟ ଗାଡ଼ି କେଉଁଠୁ ଆସିଲା ଓ ସେ ଗାଡ଼‌ିରେ କିଏ କିଏ ଥିଲେ ବୋଲି ପ୍ରଶ୍ନ ଉଠୁଛି। ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।

ସୂଚନାଯୋଗ୍ୟ ଏହି ଭିଡିଓ ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ୨ ଜଣ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଏଲିନା ସାମନ୍ତରାୟ ଦୁଃଖ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମତାମତ ଲୋଡ଼ାଯିବାରୁ, ଆଇନ୍‌ ତା ବାଟରେ ଯିବ ବୋଲି ସେ କହିଛନ୍ତି। ଝିଅ ଦୀପାଳି ବି ଘଟଣା ସଂପର୍କରେ ନିଜ ପକ୍ଷ ରଖିଛନ୍ତି।‌ ମଙ୍ଗଳବାର ରାତିରେ ଏ ସଂପର୍କରେ ଟ୍ବିଟ୍‌ କରି ଦୀପାଳି ଲେଖିଛନ୍ତି ଯେ ‘ହୀରାକୁଦ ଡ୍ୟାମ୍‌ ଘଟଣା ଉପରେ ମୋତେ ଅନେକ ପ୍ରଶ୍ନ ପଚରା ଯାଉଛି। ମୁଁ ନିୟମ ଅନୁଯାୟୀ ଆଗୁଆ ଅନୁମତି ନେଇ ହୀରାକୁଦ ଡ୍ୟାମ୍‌କୁ ଯାଇଥିଲି। ମୁଁ ହୀରାକୁଦ ଡ୍ୟାମ୍‌ ଉପରେ ବା ସେହି ଅଞ୍ଚଳରେ କୌଣସି ଫଟୋ ଉଠାଇ ନାହିଁ। ମୋର କିଛି ବାନ୍ଧବୀ ଫଟୋ ନେଇଥାଇ ପାରନ୍ତି, ଯାହାକି ଭୁଲ କଥା ଅଟେ। କିନ୍ତୁ ବ୍ୟକ୍ତିଗତ ଭାବେ ଏଥିରେ ମୋର କୌଣସି ସଂପୃକ୍ତି ନାହିଁ। ମୁଁ ଫଟୋ ଉଠାଇ ନାହିଁ କିମ୍ବା ନିଷିଦ୍ଧାଞ୍ଚଳର କୌଣସି ଫଟୋ ଅପ୍‌ଲୋଡ୍‌ କରି ନାହିଁ। କିଛି ଲୋକ ମୋ ଛବି ଖରାପ କରିବାକୁ ମୋ ବିରୋଧରେ ଅପପ୍ରଚାର ଚଳାଇଛନ୍ତି ବୋଲି ଦୀପାଳି ଉଲ୍ଲେଖ କରିଛନ୍ତି। ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଏଭଳି ଏକ ଘଟଣାରେ ତାଙ୍କ ନାମ ଆସିଥିବାରୁ ସେ ମର୍ମାହତ। ସେ ସବୁବେଳେ ଜନ ଭାବନାକୁ ସମ୍ମାନ ଦିଅନ୍ତି। ତାଙ୍କ ଦ୍ବାରା ଯେମିତି କୌଣସି ଆଇନ୍‌ ଉଲ୍ଲଂଘନ ନହେବ ସେଥିପ୍ରତି ସତର୍କ ରହିବେ ବୋଲି କହିଛନ୍ତି।

ଭିଡିଓ ସୁଟିଂ ଘଟଣାର ତଦନ୍ତ ରିପୋର୍ଟ ଆସିନି, ଟ୍ବିଟ୍‌ କରି ନିଜ ମତ ରଖିଲେ ମନ୍ତ୍ରୀଙ୍କ ଝିଅ ଦୀପାଳି
କେତେଟା ଗାଡ଼ିରେ କିଏ ଯାଇଥିଲେ ସେ ତଥ୍ୟ ନାହିଁ

ଭୁବନେଶ୍ବର: ହୀରାକୁଦର ନିଷିଦ୍ଧାଞ୍ଚଳରେ ଓଡ଼ିଆ ଚଳଚିତ୍ରର ୩ଜଣ ଓଲିଉଡ୍ ଅଭିନେତ୍ରୀଙ୍କ ସମେତ ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କର ଭିଡିଓ ଭାଇରାଲ ହେବା ଘଟଣା ଆଜି ନୂଆ ମୋଡ଼ ନେଇଛି। ଭିଡିଓରେ ଥିବା ୪ଜଣ ଯାତ ଯୁବତୀଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। କଳିଙ୍ଗ ସେନା ସାଧାରଣ ସମ୍ପାଦକ ସତୀଶ ରଞ୍ଜନ ସାହୁ ଓ ବିଜୟ ରାଜ୍‌ଙ୍କ ନେତୃତ୍ବରେ ସଂଗଠନର କର୍ମୀମାନେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି, ଭିଡିଓରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଅନ୍ୟ ତିନିଜଣ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ଶୋଭନା ନାୟକଙ୍କ ସାଙ୍ଗରେ ମଜା କରୁଛନ୍ତି। ସେଲ୍ଫି ନେବା ସହ ଭିଡିଓ ସୁଟିଂ କରୁଛନ୍ତି। ଯେଉଁଠିକୁ ଯିବା ମନା ସେଠାକୁ ଗାଡ଼ି ମଧ୍ୟ ନେଇଛନ୍ତି। ବିନା ବାଧାରେ ସେଠାରେ ପହଞ୍ଚିବା ସହ ମୋବାଇଲରେ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ନିଷିଦ୍ଧାଞ୍ଚଳକୁ ପ୍ରବେଶ କରିଥିବାରୁ ସମସ୍ତଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେଉଁମାନେ ନିଷିଦ୍ଧାଞ୍ଚଳ ଜଗିବା ଦାୟିତ୍ବରେ ଅଛନ୍ତି ତାଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଉ। ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର