ଖୋର୍ଦ୍ଧା: ଖୋର୍ଦ୍ଧାର ଦୁଇ ଦୁଇ ଥର ବିଧାୟକ ଥିବା ଏବଂ ବର୍ତ୍ତମାନର ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିରୋଧରେ ଆଜି ଖୋର୍ଦ୍ଧା ଏସ୍ଡିଜେଏମ୍ କୋର୍ଟରେ ଏକ ୧ ସିସି ମାମଲା ଦାଏର ହୋଇଛି। ନିର୍ବାଚନ ସତ୍ୟପାଠ ଦାଖଲ ବେଳେ ରାଜେନ୍ଦ୍ର ସାହୁ ଦାଖଲ କରିଥିବା ୧୦ମ ଶ୍ରେଣୀ ଓ ଯୁକ୍ତ ଦୁଇ ପ୍ରମାଣପତ୍ର ଜାଲ ବୋଲି ଦର୍ଶାଇ ଆବେଦନକାରୀ ଉପେନ୍ଦ୍ର କୁମାର ରାଉତରାୟ ଭାରତୀୟ ପିଙ୍ଗଳ ଦଣ୍ଡବିଧି ସଂହିତାର ଧାରା ୧୨୫ (କ), ୩୩ (କ), ୧୭୭, ୪୨୦, ୪୧୯, ୪୬୬, ୪୬୭ ଓ ୪୬୮ରେ ମାମଲା ରୁଜୁ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ଆଜି ଅପରାହ୍ଣରେ ଖୋର୍ଦ୍ଧା ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଏସ୍ଡିଜେଏମ୍) କୋର୍ଟରେ ଫାଇଲିଂ ନଂ ୯୪୪/୨୦୨୩ ଓ ପଂଜୀକରଣ ନମ୍ବର ୨୧୩/୨୦୨୩ରେ ଏହି ମାମଲା ରୁଜୁ ହୋଇଛି। ଏଥିରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ୨୦୦୯ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ସାହୁ ନିର୍ବାଚନୀ ସତ୍ୟପାଠରେ ଦାଖଲ କରିଥିବା ମାଟ୍ରିକ୍ ଆଦି ପ୍ରମାଣପତ୍ର ଜାଲ ବୋଲି ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ (୮୯୧୪/୧୩–୧୦–୨୦୦୯) କରିଥିଲେ। ରିଟର୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ରାଜେନ୍ଦ୍ର ସାହୁଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ସମୟରେ ଶ୍ରୀ ସାହୁ ନିଜର ମାଟ୍ରିକ୍ ପ୍ରମାଣପତ୍ର ଦାଖଲ କରିଥିଲେ। ପରେ ସୂଚନା ଅଧିକାର ଆଇନରେ ଏନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ତଥ୍ୟାନୁସାରେ, ରାଜେନ୍ଦ୍ର ସାହୁ ଯେଉଁ ପ୍ରମାଣପତ୍ର ଦାଖଲ କରିଥିଲେ ସେଥିରେ ସେ ବିଜେବି ଉଚ୍ଚ ବିଦ୍ୟାଳୟରୁ ୧୯୮୩ରେ ଉତ୍ତୀର୍ଣ୍ଣ ହୋଇଥିବା ଓ ତାଙ୍କର ଜନ୍ମ ତାରିଖ ୬ ଜୁଲାଇ ୧୯୬୮ ରହିଥିବା ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟରେ ମାମଲା (ନିର୍ବାଚନୀ ମାମଲା ୩/୨୦୧୪)ରେ ରାଜେନ୍ଦ୍ର ସାହୁ ଦାଖଲ କରିଥିବା ମାଟ୍ରିକ୍ ପ୍ରମାଣପତ୍ରରେ ଜନ୍ମ ତାରିଖ ମଧ୍ୟ ୬ ଜୁଲାଇ ୧୯୬୮ ଦର୍ଶାଇଥିଲେ। ତେବେ ବିଜେବି ଉଚ୍ଚବିଦ୍ୟାଳୟରୁ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟରେ ମିଳିଥିବା ସ୍କୁଲ ଛାଡ଼ିବା ପ୍ରମାଣପତ୍ରରେ ଜନ୍ମ ତାରିଖ ୮ ଜୁଲାଇ ୧୯୬୮ ଦର୍ଶାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜେନ୍ଦ୍ର ସାହୁ ନିଜର ମାଟ୍ରିକ୍ ପ୍ରମାଣପତ୍ରକୁ ଜାଲ କରିଛନ୍ତି। କେବଳ ଏହାନୁହେଁ ୧୯୮୩ରେ ରାଜେନ୍ଦ୍ର ସାହୁଙ୍କ ନାମରେ କୌଣସି ଛାତ୍ର କିମ୍ବା ଦର୍ଶାଯାଇଥିବା ରୋଲ୍ ନମ୍ବରରେ କୌଣସି ଛାତ୍ର ପଢ଼ୁନଥିବା ହାଇସ୍କୁଲ କର୍ତ୍ତୃପକ୍ଷ ସୂଚନା ଅଧିକାର ତଥ୍ୟରେ ଜଣାଇଛନ୍ତି।
ଏହା ସହ ରାଜେନ୍ଦ୍ର ସାହୁ ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟରୁ ୧୯୯୧ରେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଇଥିବା ବେଳେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ସେଭଳି କୌଣସି ତଥ୍ୟ ମିଳିନାହିଁ। ଏହା ବ୍ୟତୀତ ୨୦୦୪ ଓ ୨୦୧୪ରେ ସେ ବ୍ୟାଙ୍କରୁ ନେଇଥିବା ଋଣ ସମୟରେ ଦାଖଲ କରିଥିବା ଭୋଟର କାର୍ଡ ନମ୍ବର (ଏଚଏଲ୍ଏନ୍୧୫୦୩୪୮୧) ଓ ୨୦୧୪ ନିର୍ବାଚନରେ ଦାଖଲ କରିଥିବା ଭୋଟର କାର୍ଡ (ଆର୍ଏଚ୍ୱାଇ୦୨୪୦୮୧) ଦୁଇଟି ଭିନ୍ନ ଅଟେ। କେବଳ ମାଟ୍ରିକ୍ ପ୍ରମାଣପତ୍ର, ଯୁକ୍ତ ଦୁଇ ପ୍ରମାଣପତ୍ର କିମ୍ବା ଭୋଟର୍ ପ୍ରମାଣପତ୍ର ନୁହେଁ, ୨୦୧୪ ନିର୍ବାଚନ ସତ୍ୟପାଠରେ ଜାଲ୍ ପାନ୍କାର୍ଡ ମଧ୍ୟ ଦାଖଲ କରିଛନ୍ତି ବୋଲି ଆବେଦନକାରୀ ଶ୍ରୀ ରାଉତରାୟ ଦର୍ଶାଇଛନ୍ତି।
ଆଜି ଅପରାହ୍ଣରେ ଆବେଦନ ଦାଖଲ ପରେ ଆବେଦନକାରୀଙ୍କ ଓକିଲଙ୍କ ସହଯୋଗୀ ସନ୍ତୋଷ ଚନ୍ଦ୍ର ଅତିବୁଦ୍ଧି କହିଛନ୍ତି ଯେ ଏନେଇ ଏସ୍ଡିଜେଏମ୍ କୋର୍ଟରେ ମାମଲା ଦାଏର ହୋଇଛି। ଏଥିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ, ବିଜେବି ହାଇସ୍କୁଲର ପ୍ରଧାନଶିକ୍ଷକ, ବିଏସ୍ଇ ଭୁବନେଶ୍ବର ଜୋନାଲ୍ ଅଫିସରରେ ସହକାରୀ ସଚିବଙ୍କୁ ସାକ୍ଷୀ ରଖାଯାଇଛି। ଏଠାରେ ସୂଚନାଯୋଗ୍ୟ ୨୦୦୯ରେ ରାଜେନ୍ଦ୍ର ସାହୁଙ୍କ ବିରୋଧରେ ଅନୁରୂପ ଅଭିଯୋଗ କରି ଆବେଦନକାରୀ ଉପେନ୍ଦ୍ର କୁମାର ରାଉତରାୟ ନିର୍ବାଚନ ଅଧିକାରୀ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲା ବର୍ତ୍ତମାନ ସ୍ଥଗିତ ରହିଛି ଏବଂ ୨୬ ଜୁନ୍ ୨୦୧୮ରୁ କୌଣସି ତାରିଖ ପଡ଼ିନାହିଁ।