ସିଇସିଙ୍କ ବିରୋଧରେ ହାଇକୋର୍ଟରେ ମାମଲା

କଟକ: ରାଜ୍ୟସଭା ସାଂସଦ ନିର୍ବାଚନ ପ୍ରସଂଗରେ ରହିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ତଥା ଶୁଣାଣି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ପଦରୁ ସୁରେନ୍ଦ୍ର କୁମାରଙ୍କୁ ଅନ୍ତର କରାଯାଉ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଗତ ଥରର ରାଜ୍ୟସଭା ନିର୍ବାଚନରେ ସେ ନାମାଙ୍କନ ଦାଖଲ କରିଥିଲେ। ଏଥି ସହିତ ବିଭିନ୍ନ କାରଣ ଦର୍ଶାଇ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ଖାରଜ ପାଇଁ ସେ ପ୍ରାର୍ଥନା କରିଥିଲେ। କିନ୍ତୁ ରିଟଣ୍ଣିଂ ଅଫିସର ଶ୍ରୀ ସାମନ୍ତଙ୍କ ନାମାଙ୍କନ କାଏମ ରଖିଥିଲେ ଓ ପରବର୍ତ୍ତୀ ସମୟରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ଏହି ପ୍ରସଂଗକୁ ନେଇ ଆବେଦନକାରୀ କରିଥିବା ଅଭିଯୋଗର ତଦନ୍ତ କରିବାକୁ ହାଇକୋର୍ଟ ୨୦୧୮, ମେ’ ୧ରେ ଇଲେକ୍ସନ କମିସନ୍ ଅଫ୍ ଇଣ୍ଡିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ।। ଅଭିଯୋଗ କମିସନଙ୍କ ନିକଟରେ ବିଚରାଧୀନ ଥିବା ବେଳେ ସୂଚନା ଅଧିକାର ଆଇନ ବଳରେ ଆବେଦନକାରୀ ଜାଣିବାକୁ ପାଇଥିଲେ ଯେ ସିଇସିଙ୍କ ନିକଟରୁ ତଥ୍ୟ ସମ୍ବଳିତ ରିପୋର୍ଟ ତଲବ କରାଯାଇଥିଲା। ୨୦୧୮, ଜୁଲାଇ ୪ରେ ଓ ଡିସେମ୍ବର ୩୧ରେ କମିସନ୍ ରିପୋର୍ଟ ତଲବ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସିଇସି ରିପୋର୍ଟ ଦାଖଲ କରି ନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନ ସମୟରେ ସେ ଶ୍ରୀ କୁମାର ଅବଜରଭର ଥିଲେ ଓ ଏବେ ସିଇସି ଅଛନ୍ତି। କମିସନଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ବେ ସିଇସି ରିପୋର୍ଟ ଦାଖଲ କରୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କ ଅଭିଯୋଗର ଉପଯୁକ୍ତ ତଦନ୍ତ ପାଇଁ ସିଇସିଙ୍କ ରିପୋର୍ଟ ଆବଶ୍ୟକ। ଏପରି ପରିସ୍ଥିତିରେ ସିଇସିଙ୍କ ନିକଟରୁ ନିରପେକ୍ଷ ଓ ସ୍ବଚ୍ଛ ରିପୋର୍ଟ ଆଶା କରିବା ବୃଥା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ସିଇସି ସୁରେନ୍ଦ୍ର କୁମାର, ସିଇସି କାର୍ଯ୍ୟାଳୟ, ଇଲେକ୍ସନ କମିସନ ଅଫ୍ ଇଣ୍ଡିଆ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର