ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ପୁରୀ: ଓଡ଼ିଆ ଭାଷାକୁ ବିକୃତ କରୁଥିବା ଅଭିଯୋଗ ଆଣି ମଙ୍ଗଳବାର ସନ୍ଧ୍ୟାରେ ପୁରୀର ଆଇନଜୀବୀ ଲଲାଟେନ୍ଦୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେଇଛନ୍ତି। କଣ୍ଠଶିଳ୍ପୀ ସୋନା ମହାପାତ୍ର ‘ଆହେ ନୀଳ ଶୈଳ’ ଭଜନକୁ କଦର୍ଥ କରି ଗାଇବାକୁ ନେଇ ଏବେ ଚାରିଆଡ଼େ ଆନ୍ଦୋଳନର ସ୍ୱର ଉଠିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦିଆଯିବା ଘଟଣା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି। ଆଇନଜୀବୀ ଶ୍ରୀ ଦାସଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରୁ ଭୁବନେଶ୍ୱରରେ ରହି ଆସିଲେଣି। ଦୀର୍ଘ ଦିନ ଧରି ଓଡ଼ିଶାରେ ରହିବା ସତ୍ତ୍ୱେ ସେ ଠିକ୍‌ ଭାବେ ଓଡ଼ିଆରେ କହି ପାରୁନାହାନ୍ତି। ୧୮ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ରହିଥିଲେ ବି ଆଜି ପର୍ଯ୍ୟନ୍ତ ଓଡ଼ିଆରେ ଠିକ୍‌ରେ କହି ନପାରିବା ଓ ଲେଖି ନପାରିବା ସାଢ଼େ ୪ କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି। ଅନେକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସ୍ଥାନର ନାମ ଉଚ୍ଚାରଣ ଭୁଲ କହୁଛନ୍ତି। ଏମିତିକି ମହାପ୍ରଭୁ ଜଗନ୍ନାଥଙ୍କ ନାଁକୁ ବି ସେ ‘ଜୋଗନ୍ନାଥଙ୍କ’ ନାଁରେ ଉଚ୍ଚାରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି କଦର୍ଥ ଉଚ୍ଚାରଣ ଧର୍ତବ୍ୟ ଅପରାଧ। ଏଣୁ ଭାରତୀୟ ପିଙ୍ଗଳ କୋଡ୍‌ ୧୮୬୦ର ଦଫା ୨୯୪, ୩୨୩, ୫୦୪, ୫୦୬ରେ ମାମଲା ରୁଜୁ ପାଇଁ ଶ୍ରୀ ଦାସ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର