ଶ୍ରୀମନ୍ଦିରରେ ଠିକାଦାରଙ୍କ ପ୍ରବେଶକୁ ନେଇ ଏତଲା, ସଚେତନ ନାଗରିକ ମଞ୍ଚର ବିରୋଧ

ବିଧ‌ାୟକ କହିଲେ, ତଦନ୍ତ ହେଉ

ପୁରୀ: ଅକ୍ଷୟ ତୃତୀୟା ଦିନ ଭୁବନେଶ୍ବରର ବିବାଦୀୟ ଠିକାଦାର ଦିଲୀପ ଖଟେଇ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ବର କରୋନା ହଟ୍‌ସ୍ପଟ୍‌ ହୋଇଥିବା ବେଳେ ଶ୍ରୀ ଖଟେଇଙ୍କ କରୋନା ପରୀକ୍ଷା କରା ନଯାଇ ଶ୍ରୀମନ୍ଦିରକୁ କିଭଳି ପ୍ର‌‌ବେଶ କରାଗଲା ତାକୁ ନେଇ ପୁରୀର ସଚେତନ ନାଗରିକ ମଞ୍ଚ ପ୍ରଶ୍ନ ଉଠାଇଛି। ଏହାର ତଦନ୍ତ ଦାବି ସହିତ ଠିକାଦାରଙ୍କ ନାମରେ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।

ବିନା କରୋନା ପରୀକ୍ଷାରେ ଠିକାଦାର ଓ ତାଙ୍କ ସ‌ହ‌ଯୋଗୀଙ୍କୁ କେଉଁ ପରିସ୍ଥିତିରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ‌ଦିଆଗଲା ତା’ର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହା ସହ ଠିକ‌ାକାର ଶ୍ରୀ ଖଟେଇ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ‌ତେବେ ଠିକାଦାର ଶ୍ରୀମନ୍ଦିର ପରିସରରେ କିଛି ନିର୍ମାଣ କାମ ଅନୁଧ୍ୟାନ କରିବାକୁ ଯାଇଥିବା ଜଣାପଡ଼ିଛି। କିଛି ନିର୍ମାଣ କାମରେ ଠିକାଦାର ଶ୍ରୀ ଖଟେଇ ନିଯୁକ୍ତ ଥିବାରୁ ସେ ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ତାଙ୍କର ଥର୍ମାଲ୍‌ ସ୍କାନିଂ ହୋଇନଥିଲା। ଏପରିକି କାମରେ ନିୟୋଜିତ ୪ ଜଣ ଶ୍ରମିକଙ୍କ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା ହୋଇନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୁରୀ ବିଧ‌ାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏ ଭଳି ହେବା କଥା ନୁହେଁ, ବିନା ପରୀକ୍ଷାରେ ଯିବା ଅନୁଚିତ। ଏହାର ତଦନ୍ତ କରିବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର