ମିଥ୍ୟା ସତ୍ୟପାଠ ଅଭିଯୋଗ: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ କଲେ ହାଇକୋର୍ଟ

କଟକ: ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୪ ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଶ୍ରୀ ମିଶ୍ର ଦାଖଲ କରିଥିବା ସତ୍ୟପାଠରେ ଛତିଶଗଡ଼ର ରାୟପୁରରେ ଥିବା ନିଜ ସଂପତ୍ତି ସଂପର୍କିତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଗୋବର୍ଦ୍ଧନ ଦାସ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୫-ଏ ଓ ଆଇପିସିର ଦଫା ୧୭୧ଜି‌’ରେ ‌ଜୁନାଗଡ଼ ଜେଏମ୍‌ଏଫ୍‌ସି ଅଦାଲତରେ କଂପ୍ଲେନ୍ କେସ୍ ରୁଜୁ କରିଥିଲେ। ଜେଏମ୍‌ଏଫ୍‌ସି ଅଦାଲତ ମାମଲାର ଶୁଣାଣି କରି ୨୦୧୪, ଅକ୍ଟୋବର ୧୩ରେ ଶ୍ରୀ ମିଶ୍ରଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଜୁନାଗଡ଼ ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲାକୁ ରଦ୍ଦ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ନିର୍ବାଚନ ସମୟରେ ଶ୍ରୀ ମିଶ୍ର ନାମାଙ୍କନ ଦାଖଲ କରିବା ସମୟରେ ଦେଇଥିବା ସତ୍ୟପାଠରେ ରାୟପୁରରେ ତାଙ୍କ ନାଁରେ ଥିବା ସଂପତ୍ତି ସଂପର୍କରେ ତଥ୍ୟ ପ୍ରଦାନ କରି ନଥିଲେ ବୋଲି ଅଭି‌େଯାଗ ହୋଇଥିଲା। ସେ ସତ୍ୟପାଠରେ ତାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଯେଉଁ ତାଲିକା ଦେଇଥିଲେ ସେଥିରେ ରାୟପୁର ସଂପତ୍ତି ପ୍ରସଂଗରେ କିଛି ଉଲ୍ଲେଖ କରାଯାଇ ନଥିଲା। ସତ୍ୟପାଠରେ ଜାଣିଶୁଣି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ନେଇ ଶ୍ରୀ ମିଶ୍ରଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ ହୋଇଥିଲା। ନିମ୍ନ ଅଦାଲତ ମାମଲାକୁ ଚାଲେଞ୍ଜ କରି ହାଇକୋର୍ଟରେ ଶ୍ରୀ ମିଶ୍ର ଦାୟର କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ ଯେ ରାୟପୁରରେ ଥିବା ସଂପତ୍ତିକୁ ସେ ୨୦୧୪, ମାର୍ଚ୍ଚ ୧୯ରେ ବିକ୍ରି କରିଥିଲେ ଓ ଏ ନେଇ ଏକ‌ ବିକ୍ରି କବଲା ମଧ୍ୟ ପଞ୍ଜୀକୃତ ହୋଇଥିଲା। ଏ ବାବଦରେ ସେ ନେଇଥିବା ଟଙ୍କା ଆଧାରରେ ଆୟକର ମଧ୍ୟ ଜମା କରିଥିଲେ। ଏହି ସଂପତ୍ତି ବିକ୍ରି ପାଇଁ ଛତିଶଗଡ଼ ହାଉସିଂ ବୋର୍ଡ ଇଷ୍ଟେଟ୍ ଅଫିସର ୨୦୧୪, ମାର୍ଚ୍ଚ ୧୪ରେ ମଧ୍ୟ ‌ଏନ୍‌ଓସି ପ୍ରଦାନ କରିଥିଲେ। ୨୦୧୪, ମାର୍ଚ୍ଚ ୧୪ରେ ସେ ସଂପତ୍ତି ବିକ୍ରି କରି ସାରିଥିବାରୁ ଏ ନେଇ ମାର୍ଚ୍ଚ ୨୧ର ସତ୍ୟପାଠରେ ଉଲ୍ଲେଖ କରି ନଥିଲେ। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ସତ୍ୟପାଠରେ ଠିକ୍ ତଥ୍ୟ ଦେଇ ନଥିବା ପ୍ରସଂଗ ନେଇ ଯେଉଁ ଅଭିଯୋଗ  ହୋଇଥିଲା ତାହା ଭିତ୍ତିହୀନ ବୋଲି ଶ୍ରୀ ମିଶ୍ରଙ୍କ ପକ୍ଷରୁ ଦର୍ଶାଯାଇଥିଲା।। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର