ଆଶା ଆଶଙ୍କାରେ ଓଡ଼ିଶା ରସଗୋଲା

ହାଇକୋର୍ଟରେ ଓଡ଼ିଶା ସରକାରଙ୍କ ବିରୋଧରେ ମାମଲା

ଭୁବନେଶ୍ୱର: ରସଗୋଲା କାହାର, ଓଡ଼ିଶାର ନା ବଙ୍ଗର -ଏହାକୁ ନେଇ ବିବାଦ ଓ ବିତର୍କ ଜାରି ରହିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଇତିମଧ୍ୟରେ ଆଉ ଏକ ମାମଲା ଦାଏର ହୋଇଛି। ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ବେଖାତିର ମନୋଭାବ ଓ ଅପାରଗତା ବିରୋଧରେ ଗତ ଜୁନ ୨୧ ତାରିଖରେ ଦୁଇ ଆଇନଜୀବୀ ଡ.ରାଧାଚରଣ ଦାସ ଓ ହନୁମନ୍ତ ବଳରାମ ଦୋରା ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି। ଗତ ୨୮ ଜୁନରେ ଏହି ଆବେଦନର ଶୁଣାଣି କରି ନ୍ୟାୟମୂର୍ତ୍ତି ଏସ୍‌କେ ମିଶ୍ର ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ(ଓଏସ୍‌ଆଇସି)ର ପରିଚାଳନା ନିର୍ଦ୍ଦେଶକ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ତଥା ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରିକୁ ନୋଟିସ ଜାରି କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଏଥିସହ ଆସନ୍ତା ୧୨ ଜୁଲାଇକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶା ହୋଇଥିଲେ ହେଁ ପଶ୍ଚିମବଙ୍ଗକୁ ଏହାର ଭୌଗୋଳିକ ମାନ୍ୟତା ମିଳିବା ନେଇ ଓଡ଼ିଶାରେ ତମ୍ବିତୋଫାନ ହୋଇଥିଲା। ସେତେବେଳେ ଏହାକୁ ଓଡ଼ିଶା ସରକାରଙ୍କ ତରଫରୁ ଭଲଭାବେ ବିରୋଧ କରାଯାଇନଥିବା ଦର୍ଶାଇ ୨୦୧୮ ଜାନୁଆରିରେ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ଏହାକୁ ଭିତ୍ତି କରି ନ୍ୟାୟାଳୟରୁ ସରକାରଙ୍କୁ ନୋଟିସ କରାଗଲା। ବଙ୍ଗଳାର ଏହି ଜିଆଇ ମାନ୍ୟତାକୁ ରଦ୍ଦ କରିବା ପାଇଁ ୧୩ ଫେବ୍ରୁଆରିରେ ଭୁବନେଶ୍ୱରର ରମେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ଏକ ଦରଖାସ୍ତ ଜିଆଇ ପ୍ରାଧିକାରୀଙ୍କୁ ଦିଆଗଲା। ଏହାର ଦଶଦିନ ପରେ ସରକାରଙ୍କ ଓଏସଆଇସି ତରଫରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ଦରଖାସ୍ତ ଦିଆଗଲା। ତେବେ ଉକ୍ତ ଦରଖାସ୍ତ ଦ୍ୱୟରେ ଅନେକ ତ୍ରୁଟି ରହିବା ସହ ସେଗୁଡ଼ିକ ସାଙ୍ଗରେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦାଖଲ କରାଯାଇନଥିବାରୁ ଦରଖାସ୍ତ ଦ୍ୱୟ ଖାରଜ ହେବା ଆଶଙ୍କା ରହିଛି ବୋଲି ଉକ୍ତ ରିଟ ପିଟିସନରେ ଦର୍ଶାଯାଇଛି। ସରକାର କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ତରବରିଆ ଭାବେ ଇଂରାଜୀ ଅନୁବାଦ ବିନା କେବଳ ଓଡ଼ିଆରେ କିଛି ଦସ୍ତାବିଜ ଦେବାଯୋଗୁଁ ଏହା ଖାରଜ ହେବା ଆଶଙ୍କା ଅଧିକ ବୋଲି ଉକ୍ତ ଆଇଜନୀବୀ ଦ୍ୱୟ ଦର୍ଶାଇଛନ୍ତି। ‘ଓଡ଼ିଶାର ରସଗୋଲା’ ବଦଳରେ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ଦରଖାସ୍ତ ଦେଇଥିଲେ ଭଲ ହୋଇଥା’ନ୍ତା ବୋଲି ଉକ୍ତ ରିଟ ଆବେଦନରେ କୁହାଯାଇଛି। ଓଡ଼ିଶାର ସ୍ୱାର୍ଥାଭିମାନ ପାଇଁ ଦାଏର ଏହି ଆବେଦନ ସରକାରଙ୍କ ଆଖି ଖୋଲିବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଓଏସଆଇସିର ନିର୍ଦ୍ଦେଶକ ରତ୍ନାକର ସାହୁ କହନ୍ତି, ପଶ୍ଚିମବଙ୍ଗକୁ ମିଳିଥିବା ଜିଆଇ ମାନ୍ୟତା ରଦ୍ଦ ହେବ ନ ନାହିଁ ତାହା ଅଲଗା କଥା। କିନ୍ତୁ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବାରେ କିଛି ଅସୁବିଧା ନାହିଁ। ‘ଓଡ଼ିଶାର ରସଗୋଲା’ ବଦଳରେ ଆବଶ୍ୟକ ସଂଶୋଧନ କରାଯାଇ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ଦରଖାସ୍ତକୁ ଦୁଇତିନିଦିନ ମଧ୍ୟରେ ଚୂଡ଼ାନ୍ତ କରାଯିବ। ବରଂ ସରକାରଙ୍କ ପକ୍ଷରୁ କେବଳ ଓଏସଆଇସି ଲଢ଼ିବା ନେଇ ଯାହା କିଛି ସମସ୍ୟା ଥିଲା ତାହା ମଧ୍ୟ ଦୂର ହେଉଛି। ରାଜ୍ୟର ସମସ୍ତ ପ୍ରମୁଖ ରସଗୋଲା ପ୍ରସ୍ତୁତକର୍ତ୍ତା ଓ ମାର୍କେଟିଂ ସଂସ୍ଥାକୁ ନେଇ ଗଠିତ ସଂଘ ମଧ୍ୟ ଆମ ସହ ଏହି ଅଭିଯାନରେ ସାମିଲ ହେବେ। ଜିଆଇ ସଂସ୍ଥାର ଯାହାକିଛି ପ୍ରଶ୍ନ ରହିଛି ସରକାରଙ୍କ ଏମଏସଏମଇ ବିଭାଗର ଅନୁମୋଦନ କ୍ରମେ ୧୦/୧୫ ଦିନ ମଧ୍ୟରେ ତା’ର ଉତ୍ତର ରଖାଯିବ। ଓଡ଼ିଶା ହିଁ ରସଗୋଲାର ଯେ ଉତ୍ପତ୍ତି ସ୍ଥଳ -ଏ ନେଇ ଐତିହାସିକ ବିବରଣୀ ସହ ବିଶେଷଜ୍ଞମାନଙ୍କ ଦ୍ୱାରା ଏକ ବୃତ୍ତଚିତ୍ର ମଧ୍ୟ ପ୍ରସ୍ତୁତ ହେଉଛି। ରସଗୋଲାର ପ୍ରସ୍ତୁତି ଓ ବଜାରକୁ ଅଧିକ ବ୍ୟବସ୍ଥିତ କରିବାକୁ ପାହାଳଠାରେ ଏକ କ୍ଲଷ୍ଟର କରାଯିବ। ଏଥିନିମନ୍ତେ ଇଡକୋକୁ ଜମି ମଗାଯାଇଛି।

ସମ୍ବନ୍ଧିତ ଖବର