କଟକ : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ଜମି କ୍ରୟ ଓ ରେକର୍ଡ ନିଜ ନାଁରେ କରାଇବାରେ ଅନିୟମିତତା ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ପୁରୀ ଉପଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତ ମ୍ୟୁଟେସନ୍ ଅପିଲର ଶୁଣାଣି ୩ ମାସ ଭି‌ତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୯, ଫେବ୍ରୁଆରି ୨୬ରେ ଏକ ମ୍ୟୁଟେସନ୍ କେସର ଶୁଣାଣି କରି ପିପିଲି ତହସିଲଦାର ପିପିଲି ଶାସନ ମୌଜାର ନିର୍ଦ୍ଦିଷ୍ଟ ଜମିକୁ ଶ୍ରୀ ମହାରଥୀଙ୍କ ନାଁରେ ରେକର୍ଡ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ବୈଧତାକୁ ଚାଲେଞ୍ଜ କରି କୁନ୍ଦଲତା ବିଶୋଇ ଓରଫ କୁନ୍ଦଲତା ବିଶ୍ବାଳଙ୍କ ପକ୍ଷରୁ ପୁରୀ ଉପଜିଲ୍ଲାପାଳଙ୍କ ଅଦାଲତରେ ୨୦୧୫ରେ ଅପିଲ ଦାୟର କରାଯାଇଥିଲା। ଏହି ଅପିଲ ଶୁଣାଣିରେ ବିଳମ୍ବ ହେଉଥିବା ଦର୍ଶାଇ କୁନ୍ଦଲତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଡକ୍ଟର ଜଷ୍ଟିସ ଏ.କେ.ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ମ୍ୟୁଟେସନ୍ ଅପିଲର ଶୁଣାଣି ୩ ମାସ ଭିତରେ ଶେଷ କରିବା ପାଇଁ ପୁରୀ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହାଇକୋର୍ଟରେ ଦାୟର ରିଟ୍ ପିଟିସନରେ କୁନ୍ଦଲତା ଦର୍ଶାଇଥିଲେ ଯେ ୧୯୯୪ର ଚକବନ୍ଦୀ ପଟ୍ଟା ଅନୁଯା‌ୟୀ ପିପିଲି ଶାସନ ମୌଜାରେ ୧ ଏକର ୨୦ ଡିସିମିଲ ଜମି ସୁରେନ୍ଦ୍ର ବିଶ୍ବାଳ, କୁନ୍ଦ ବିଶ୍ବାଳ, ମୁକ୍ତା ବିଶ୍ବାଳଙ୍କ ନାଁରେ ରେକର୍ଡ ଥିଲା। ୨୦୧୨, ମାର୍ଚ୍ଚ ୧୯ରେ ଇଣ୍ଟରନେଟରେ ଉପଲବ୍ଧ ତଥ୍ୟ(ନେଟ୍ ପଟ୍ଟା)ରୁ ସେ ଜାଣିବାକୁ ପାଇଥିଲେ ଯେ ୧୯୯୮ର ଏକ ଦାଖଲ ଖାରଜ କେସରେ ୧୯୯୯, ଫେବ୍ରୁଆରି ୨୬ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବଳରେ ଏହି ଜମି ଶ୍ରୀ ମହାରଥୀଙ୍କ ନାଁରେ ରେକର୍ଡ ହୋଇଯାଇଛି। ସଂପୃକ୍ତ ବିକ୍ରି କବଲାକୁ ରଦ୍ଦ କରିବା ଲାଗି ଆବେଦନକାରିଣୀ ପୁରୀ ସିଭିଲ ଜଜ୍(ଏସ୍‌ଡି)ଙ୍କ ଅଦାଲତରେ ୨୦୧୪ରେ ସିଭିଲ ସୁଟ୍ ଦାଖଲ କରିଥିଲେ। ଏହା ପରେ ଦାଖଲ ଖାରଜ ମାମଲାର ୧୯୯୯, ଫେବ୍ରୁଆରି ୨୬ର ନିର୍ଦ୍ଦେଶ ବିରୋଧରେ ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ମ୍ୟୁଟେସନ୍ ଅପିଲ ଦାଖଲ କରିଥିଲେ। ପୁରୀ ସିଭିଲ ଜଜ୍ ଅଦାଲତରେ ବିଚାରାଧୀନ ମାମଲା ପରବର୍ତ୍ତୀ ସମୟରେ ପିପିଲି ସିଭିଲ ଜଜ୍(ଏସ୍‌ଡି) ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା। ନିରପେକ୍ଷ ଶୁଣାଣି ପାଇଁ କଟକ, ଭୁବନେଶ୍ବର କିମ୍ବା ଅନ୍ୟ କୌଣସି ସ୍ଥାନରେ ଥିବା ଅଦାଲତ‌କୁ ଏହି ସିିଭିଲ ସୁଟ୍ ସ୍ଥାନାନ୍ତର ଏବଂ ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ବିଚାରାଧୀନ ମ୍ୟୁଟେସନ୍ ଅପିଲର ଶୀଘ୍ର ଶୁଣାଣି ଶେଷ କରିବା ପାଇଁ ଆବେଦନକାରିଣୀ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।