ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କରଙ୍କ ମାଟ୍ରିକ ପରୀକ୍ଷା ନମ୍ବର ବଢାଇବା ଘଟଣା: ପୂର୍ବତନ ବୋର୍ଡ ସଂପାଦକଙ୍କ ବିରୋଧରେ ଚାଲିଥିବା ମାମଲା ରଦ୍ଦ

କଟକ : ମାଟ୍ରିକ ପରୀକ୍ଷାରେ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଷ୍ଣୁଚରଣ ଦାସଙ୍କ ପୁଅ ବିଜୟଶଙ୍କର ଦାସ (ବର୍ତ୍ତମାନର ବିଧାୟକ)ଙ୍କ ମାର୍କ ବଢାଇବା ଅଭିଯୋଗ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପୂର୍ବତନ ସଂପାଦକ ଡକ୍ଟର ମୀନକେତନନ ପାଣିଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ରଦ୍ଦ ହୋଇଛି। ଏହି ମାମଲାରେ ଆଇପିସିର ଦଫା ୪୬୮,୪୭୧, ୪୨୦,୧୨୦-ଖ,୪୬୫,୪୬୬ ଓ ଓଡ଼ିଶା କଣ୍ଡକ୍ଟ ଅଫ୍ ଏକଜାମିନେସନ୍ ଆକ୍ଟର ଧାରା ୯ରେ କଟକ ସଦର ଏସଡିଜେଏମ୍ ଅଦାଲତ କଗନିଜାନ୍ସ ଗ୍ରହଣ କରିଥିଲେ। ୨୦୦୯, ଜାନୁଆରି ୧୫ର କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ଡକ୍ଟର ପାଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ମାମଲାର ଶୁଣାଣି କରି ୨୦୦୯, ଜାନୁଆରି ୧୫ର କଗନିଜାନ୍ସ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏହି ମାମଲାରେ ବିଭାଗୀୟ ତଦନ୍ତରେ ଡକ୍ଟର ପାଣିଙ୍କୁ ଦୋଷମୁକ୍ତ କରାଯାଇଥିବା ବେଳେ ସେ ଚାକିରିରୁ ଇତିମଧ୍ୟରେ ଅବସର ନେଇ ସାରିଛନ୍ତି ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୭ରେ ଜଗତସିଂହପୁର ସରକାରୀ ହାଇସ୍କୁଲ କେନ୍ଦ୍ରରେ ବିଜୟଶଙ୍କର ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ତାଙ୍କ ମାର୍କରେ ଅଦଳବଦଳ କରାଯିବା ସହିତ କେତେକ ପେପରରେ ନମ୍ବର ବୃଦ୍ଧି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ୨୦୦୭, ମେ ୨୯ରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ବିଜୟଶଙ୍କର ପ୍ରଥମ ଡିଭିଜନରେ ମାଟ୍ରିକ୍ ପାସ୍ କରିଥିଲେ। ବୋର୍ଡର ପୂର୍ବତନ ସଭାପତି ଡକ୍ଟର ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ନିକଟକୁ ଏକ ଅଜଣା ସୂତ୍ରରୁ ୨୦୦୭, ଅଗଷ୍ଟରେ ଖବର ଅସିଥିଲା ଯେ ଓଡ଼ିଆ ଓ ଇଂରାଜୀ ପେପରରେ ଅଦଳବଦଳ କରାଯାଇ ବିଜୟଶଙ୍କରଙ୍କ ନମ୍ବର ବୃଦ୍ଧି କରାଯାଇଛି। ସଭାପତି ବୋର୍ଡ ସଂପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ଏହି ପ୍ରସଂଗରେ ସ୍ପଷ୍ଟୀକରଣ ଲୋଡିଥିଲେ ମଧ୍ୟ ଦୁଇ ଅଧିକାରୀଙ୍କ ପାଖରୁ କିଛି ଉତ୍ତର ମିଳି ନଥିଲା। ଏହାପରେ ଏହି ପ୍ରସଂଗରେ ତଦନ୍ତ କରାଯାଇଥିଲା। ବିଜୟଶଙ୍କରଙ୍କ ନମ୍ବର ବେଆଇନ ଭାବେ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ବୃଦ୍ଧି କରାଯାଇଥିବା ନେଇ ତଥ୍ୟ ମିଳିଥିଲା। ବୋର୍ଡ ସଂପାଦକଙ୍କ ଜାଣତରେ ଏପରି କରାଯାଇଥିବା ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହେବା ସହିତ ବିଭାଗୀୟ ତଦନ୍ତ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ବୋର୍ଡର ତତ୍କାଳୀନ ସଂପାଦକ ଡକ୍ଟର ପାଣିଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପରେ ଏସଡିଜେଏମ ଅଦାଲତ କଗନିଜାନ୍ସ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ବିଭାଗୀୟ ତଦନ୍ତରୁ କିନ୍ତୁ ବୋର୍ଡ ସଂପାଦକଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନଥିଲା। ଏଭଳି ସ୍ଥିତିରେ କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଡକ୍ଟର ପାଣିଙ୍କ ତରଫରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ବୋର୍ଡ ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ସଂପାଦକଙ୍କ କୌଣସି ଭୂମିକା ନଥାଏ। ଏଥି ସହିତ ବିଭାଗୀୟ ତଦନ୍ତରେ ମଧ୍ୟ କୌଣସି ପ୍ରମାଣ ତାଙ୍କ ବିରୋଧରେ ନ ମିଳିବାରୁ ଦୋଷମୁକ୍ତ କରାଯାଇଥିଲା। ସମାନ ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଓ ଅପରାଧିକ ମାମଲା ହୋଇଥିବା ବେଳେ ଗୋଟିଏରେ ସେ ଦୋଷମୁକ୍ତ ହୋଇ ସାରିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ଧଳ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର