କଟକ : ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର ଜାରି କରିଥିବା କଟକଣାକୁ ଚାଲେଞ୍ଜ୍‌ କରି ଦାୟର ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଛି।‌ ସୋମବାର ଦିନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଲ୍ ଓଡ଼ିଶା ଫାୟାର୍‌ ୱାର୍କସ୍ ଡିଲର୍‌ ଆସୋସିଏସନ୍ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀ ଆସୋସିଏସନ୍ ଏକ ପଞ୍ଜୀକୃତ ସଂଘ ବୋଲି ଆବେଦନ ସହିତ କୌଣସି ତଥ୍ୟ ହାଇକୋର୍ଟ‌ରେ ଦାଖଲ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଆବେଦନକାରୀ ଆସୋସିଏସନ୍‌କୁ ଏହି ଆବେଦନ ପ୍ରତ୍ୟାହାର ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ଯଦି ଡିଲର୍‌ମାନେ ଚାହିଁବେ ତେବେ ସେମାନେ ଏହି ପ୍ରସଂଗରେ ସାନି ଆବେଦନ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ହେବନି କି ଫୁଟିବନି ବୋଲି ଗତ ସେପ୍ଟେମ୍ବର ୩୦ରେ ସରକାର ସ୍ପଷ୍ଟ କରିଥିଲେ। ଏ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ  ଗତ ବର୍ଷ ଠାରୁ ବାଣ ଫୁଟାଇବା ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଥିବା ବେଳେ ବାଣ ଡିଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ଫେବ୍ରୁଆରି, ମାର୍ଚରେ ବାଣ ମଗାଇବା ପାଇଁ ତାମିଲନାଡ଼ୁର ଶିବକାଶୀରେ ଅର୍ଡର ଦିଆଯାଇଥିଲା। ଗତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ବାଣ ଆସି ବିଭିନ୍ନ ଡିଲରଙ୍କ ନିକଟରେ ପହଞ୍ଚିଥିଲା। କିନ୍ତୁ ୨୦୨୦, ନଭେମ୍ବର ୩ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ବାଣ ଉପରେ କଟକଣା ଜାରି କରିଥିଲେ। ସବୁ ଡିଲରଙ୍କ ପାଖରେ ପ୍ରାୟ ୫୦/୬୦ ଲକ୍ଷ ଟଙ୍କାର ବାଣ ପଡ଼ିରହିଛି। ବିକ୍ରି ଉପରେ କଟକଣା ଯୋଗୁ ପ୍ରାୟ ୨୫ କୋଟି ଟଙ୍କାର ବାଣ ବିକ୍ରି ନ ହୋଇ ପଡ଼ିରହିଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ମଧ୍ୟ ସମାନ କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ ଗ୍ରିନ୍ କ୍ରାକର୍‌ ଫୁଟାଇବା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଗ୍ରିନ୍ କ୍ରାକର୍‌ ଦ୍ବାରା ପରିବେଶ ପ୍ରଦୂଷଣ ସମସ୍ୟା ରହିବ ନାହିଁ। ତେଣୁ ରାଜ୍ୟରେ ଦୀପାବଳି ସମୟରେ ଗ୍ରିନ୍ କ୍ରାକର ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।