ପୁରୀ ଜିଲ୍ଲାପାଳଙ୍କ ନାଁରେ କୋର୍ଟରେ ମାମଲା

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ପୁରୀ ବାସେଳି ସାହି ଥାନା ମାର୍କଣ୍ଡେଶ୍ୱର ସାହିର ସାମାଜିକ କର୍ମୀ ଚିନ୍ମୟ ଦାଶଙ୍କ ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଖାଲି ଜିଲ୍ଲାପାଳ ନୁହନ୍ତି, ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ନାଁରେ ବି କୋର୍ଟରେ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ଥାନାରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶ୍ରୀ ଦାଶ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ମାମଲା (ୱାନ୍‌ ସିସି) ରୁଜୁ କରିଛନ୍ତି। ଆସନ୍ତା ସୋମବାର ଏହାର ବିଚାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ଅଭିଯୋଗରେ ଦର୍ଶାଯାଇଛି, ଜିଲ୍ଲାପାଳ କହୁଛନ୍ତି ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିଛି। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ କହୁଛି, ରତ୍ନଭଣ୍ଡାରର କୌଣସି ଡୁପ୍ଲିକେଟ୍‌ ଚାବି ନାହିଁ। ଜିଲ୍ଲାପାଳ ନିଜର ସୁରକ୍ଷା ପାଇଁ ଗୋଟିଏ ପରେ ଗୋଟିଏ ମିଛ କହି ଚାଲିଛନ୍ତି ବୋଲି ସାମାଜିକ କର୍ମୀ ଶ୍ରୀ ଦାଶ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିରେ ସମାନ ଭାଗିଦାରୀ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ରହିଛି । ଏଭଳି ପରିସ୍ଥିତିରେ ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଚୋରି ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଶ୍ରୀ ଦାଶ କହିଛନ୍ତି। ଏହି ଘଟଣା ଜାଣିବା ପରେ ସେ ସିଂହଦ୍ଵାର ଥାନାରେ ଏକ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର