କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶର୍ମିଷ୍ଠା

କଟକ : କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ମାନସଙ୍କ ଅପହରଣ ନେଇ ଚାନ୍ଦବାଲି ଥାନାରେ ଫେବ୍ରୁଆରି ୧୪ରେ ଏତଲା ଦେଇଥିବା ବେଳେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି।

ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ନାହିଁ। ଘଟଣାର ମାଷ୍ଟରମାଇଣ୍ଡର ଠାବ ଓ ଘଟଣା ପଛର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ବିଫଳ ହୋଇଛି। ଏହି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସିକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗୃହ ସଚିବ, ଭଦ୍ରକ ଏସ୍‌ପି ଓ ଚାନ୍ଦବାଲି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦ୍ବିବେଦୀ ମାମଲା ପରିଚାଳନା କରୁଛନ୍ତି।

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶର୍ମିଷ୍ଠା

କଟକ : କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି।

ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା। ଏହାପରେ ଚାନ୍ଦବାଲି ଥାନାରେ ରୁଜୁ ୬୩/୨୦୨୨ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଶର୍ମିଷ୍ଠା ଫେବ୍ରୁଆରି ୨୩ରେ ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ି ଆବେଦନ କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର