ଅନୁଗୁଳ : ଶେଷରେ ଫସିଲେ ଜାଲ୍ ସାର୍ଟିଫିକେଟ୍‌ଧାରୀ ନକଲି କ୍ରୀଡ଼ା ଶିକ୍ଷକ। ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଏତଲା କ୍ରମେ ୧୦ଜଣଙ୍କ ନାଁରେ ରୁଜୁ ହୋଇଛି। ଜାଲ୍ ଶିକ୍ଷକଙ୍କ ନାଁରେ ଦଫା ୪୬୮, ୪୭୧ ଓ ୪୨୦ ଲଗାଇ ଅନୁଗୁଳ ଟାଉନ୍‌ ଥାନା ପୁଲିସ ଆରମ୍ଭ କରିଛି ତଦନ୍ତ। ଜିଲ୍ଲା ଶିକ୍ଷା ବିଭାଗ ଏତଲା ପରେ ଜାଲିଆତି କରିଥିବା ଏହି ଶିକ୍ଷକମାନଙ୍କର ନାଁ, ଗାଁ ଠିକଣା ସବୁ ସମ୍ନାକୁ ଆସିଛି। ସେମାନେ କେବେଠାରୁ ସରକାରୀ ଚାକିରିରେ ଭର୍ତ୍ତି ହୋଇଥିଲେ, କେଉଁ ସ୍କୁଲରେ ଚାକିରି କରୁଥିଲେ ଓ କଣ ସବୁ ଜାଲ୍ ସାର୍ଟିଫିକେଟ୍ ଦେଇଥିଲେ ତାର ତଥ୍ୟ ପ୍ରମାଣ ଜିଲ୍ଲା ଶିକ୍ଷା ବିଭାଗ ପୁଲିସକୁ ହସ୍ତାନ୍ତର କରିଛି। ମାମଲା ରୁଜୁ ପରେ ଜାଲିଆତି କରିଥିବା ଶିକ୍ଷକ ଛାନିଆ ହୋଇ ପଡ଼ିଛନ୍ତି। ଶିକ୍ଷକତା ଭଳି ପବିତ୍ର ବୃତ୍ତିରେ ଜାଲିଆତି କରିଥିବା ଏହି ଶିକ୍ଷକମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଯେଉଁ ୧୦ଜଣ କ୍ରୀଡ଼ା ଶିକ୍ଷକଙ୍କ ନାଁରେ ଜାଲିଆତି ମାମଲା ରୁଜୁ ହୋଇଛି ସେମାନେ ହେଲେ, ଢେଙ୍କାନାଳ ସଦର ଥାନା କାଇମାଟି ବାଉତିବେରେଣାର ମଧୁସୂଦନ ସାହୁଙ୍କ ପୁଅ ମହେଶ୍ବର ସାହୁ, ଢେଙ୍କାନାଳ ସଦର ଥାନା ମହାପଦା ନାଥୁଆ ଗାଁର ପ୍ରେମାନନ୍ଦ ଦେହୁରୀଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ବିଶ୍ବାଳ, ନାଥୁଆର ଶରତ ଦେହୁରୀଙ୍କ ଝିଅ ପ୍ରିୟମ୍ବଦା ଦେହୁରୀ, ସାରଙ୍ଗଧର ଦେହୁରୀଙ୍କ ପୁଅ ସୁନିଲ ଦେହୁରୀ, ପ୍ରଭାକର ନାଏକଙ୍କ ପୁଅ ସୁନିଲ କୁମାର ନାଏକ, କୃଷ୍ଣଚନ୍ଦ୍ର ଦେହୁରୀଙ୍କ ପୁଅ କମଳ କୁମାର ଦେହୁରୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଗୋବିନ୍ଦପୁର ଗାଁର କେଦାର ସାହୁଙ୍କ ଝିଅ ସୁପ୍ରଭା ସାହୁ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନାଧରା ଗାଁର ପ୍ରଦୀପ ପୃଷ୍ଟିଙ୍କ ସ୍ତ୍ରୀ ରୀନା ସ୍ବାଇଁ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଛୋଟାପଡ଼ା ଗାଁର ଖଗେଶ୍ବର ବେହେରାଙ୍କ ପୁଅ ମନୋଜ ବେହେରା, କଟକ ଜିଲ୍ଲା ତିଗିରିଆ ଥାନା ମାନପୁର ଗାଁର ପବିତ୍ର ମୋହନ ବେହେରାଙ୍କ ପୁଅ ଶୁଭ୍ରକାନ୍ତ ବେହେରା।

publive-image

ଏମାନେ ସବୁ କଟକ ଜିଲ୍ଲା ତିଗିରିଆ ସ୍ଥିତ ପ୍ରସନ୍ନମଣି କଲେଜ ଅଫ୍‌ ଫିଜିକାଲ୍ ଏଜୁକେସନ୍‌ ଆଣ୍ଡ ଯୋଗ ଓ ବାଲେଶ୍ବର ଜିଲ୍ଲା ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍ ଏଜୁକେସନରୁ ପାଠ ପଢ଼ିଥିବା ସାର୍ଟିଫିକେଟ୍ ଦେଇଥିଲେ। କେହି କେହି ୧୯୯୭ମସିହାରୁ ଏହି କଲେଜରେ ପାଠପଢ଼ିଥିବାର ସାର୍ଟିଫିକେଟ୍ ଦେଇଥି‌ବା ବେଳେ ଆଉ କେହି କେହି ୨୦୦୩, ୨୦୦୫, ୨୦୦୭, ୨୦୧୧ ଓ ୨୦୧୪ମସିହାର ସାର୍ଟିଫିକେଟ୍ ଦାଖଲ କରି ୨୦୧୬ମସିହାରେ ୯ଜଣ ସରକାରୀ ଚାକିରି କରିଥିଲେ। ୨୦୧୨ମସିହାରୁ ଜଣେ ସରକାରୀ ଚାକିରି କରି ଆସୁଥିଲେ। ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗର ଏହି ସାର୍ଟିଫିକେଟ୍ ଉପରେ ସନ୍ଦେହ ହୋଇଥିଲା। ତେଣୁ, ଉଭୟ କଲେଜକୁ ଏ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ପଠାଇଥିଲା। ଯେଉଁଥିରୁ ଏମାନଙ୍କ ଜାଲିଆତି ପଦାକୁ ଆସିଛି। କିଛି ଶିକ୍ଷକ ଏହି ଜାଲ୍ ସାର୍ଟିଫିକେଟ୍ ଦେଇ ସ୍ଥାୟୀ ନିଯୁକ୍ତି ପାଇ ସାରିଥିଲେ। ସେହି ଅନୁସାରେ ସରକାରୀ ତହବିଲରୁ ଭଲ ଦରମା ବି ଉଠାଇଛନ୍ତି। ନକଲି ତଥ୍ୟ ପ୍ରମାଣ ପାଇଲା ପରେ ଶିକ୍ଷା ବିଭାଗ ସେମାନଙ୍କର ଦରମା ବନ୍ଦ କରିବା ସହିତ ଏତଲା ଦେଇଥିଲା। ଏତଲା ମୁତାବକ, କେସ୍‌ ନମ୍ବର ୩୬୭ରେ ବୁଧବାର ଅନୁଗୁଳ ଟାଉନ୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।