ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ଅଭିଯୋଗ: କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ମୟୂରଭଞ୍ଜ ଜିଲ୍ଲା ରାଜନୀତି ସରଗରମ, ଘଟଣାକୁ ବିରୋଧୀଙ୍କ ଷଡ଼୍‌ଯନ୍ତ୍ର କହିଲେ ବିଶ୍ବେଶ୍ୱର

ବାରିପଦା : ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁରେ ଗୁରୁତର ଅଭିଯୋଗ। ଆଜି ସେ ଜିଲ୍ଲାର ଦୁଇଜଣ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉଭୟ କର୍ମଚାରୀ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏନେଇ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏଭଳି ଘଟଣା ନେଇ ଜିଲ୍ଲା ରାଜନୀତି ସରଗରମ ହୋଇ ଉଠିଛି।

ଅଭିଯୋଗ ଅନୁଯାୟୀ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପିଏ ଗତକାଲି ଫୋନ୍‌ କରିଥିଲେ। ସେ ଉଭୟଙ୍କୁ ସାଂସଦ ଅନୁଦାନ ପାଣ୍ଠି ସଂପର୍କିତ ସମୀକ୍ଷା ପାଇଁ ଫାଇଲ୍‌ ଧରି ତକତପୁରସ୍ଥିତ ବିଜେପି କାର୍ଯ୍ୟାଳୟ ଆସିବା ପାଇଁ କହିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିରୁ ସେମାନେ ସରକାରୀ ଫାଇଲ୍‌ ନେଇ ଦଳୀୟ କାର୍ଯ୍ୟାଳୟକୁ ଯିବାକୁ ମନା କରି ଦେଇଥିଲେ। ଫଳରେ ଉଭୟଙ୍କୁ ବାରିପଦାସ୍ଥିତ ଏକ ହୋଟେଲ୍‌ର ସମ୍ମିଳନୀ କକ୍ଷକୁ ଡକାଯାଇଥିଲା। ତେବେ ହୋଟେଲ୍‌ ସର୍ବସାଧାରଣ ସ୍ଥାନ ହୋଇଥିବାରୁ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାପାତ୍ର ସେଠାକୁ ଯିବା ପାଇଁ ମଧ୍ୟ ମନା କରିଥିଲେ। ପରେ ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ପିଏ ପୁଣି ଫୋନ୍‌ କରି ତକତପୁର ଦଳୀୟ କାର୍ଯ୍ୟାଳୟରେ ‌କେନ୍ଦ୍ରମନ୍ତ୍ରୀ ସେମାନଙ୍କ ସହ କଥା ହେବାକୁ ଚାହୁଥିବା କହିଥିଲେ। ଫଳରେ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାପାତ୍ର ଆଜି ସେଠାକୁ ଯାଇଥିଲେ। ଉଭୟ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମନ୍ତ୍ରୀ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ନେତା ଓ କର୍ମୀଙ୍କୁ ବାହାରକୁ ଯାଇ କାର୍ଯ୍ୟାଳୟ ସଟର୍‌ ବନ୍ଦ କରିବାକୁ କହିଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ଉଭୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା‌ ସହ ଏକ ପ୍ଲାଷ୍ଟିକ୍‌ ଚେୟାରରେ ମାଡ଼ ମାରିଥିଲେ। ଫଳରେ ଶ୍ରୀ ମଲ୍ଲିକଙ୍କ ବାମହାତ ଭାଙ୍ଗିଯାଇଥିବା ବେ‌ଳେ ଶ୍ରୀ ମହାପାତ୍ର ଆହତ ହୋଇଛନ୍ତି। ଘଟଣା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ଆହତ ଅଧିକାରୀ ଦୁଇଜଣ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

Odisha News In English

ସେପଟେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଥିବାରୁ ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବା ପାଇଁ ଏହା ବିରୋଧୀଙ୍କ ଏକ ଷଡ଼୍‌ଯନ୍ତ୍ର ବୋଲି କହିବା ସହ ଦୁଇ ସରକାରୀ ଅଧିକାରୀଙ୍କୁ ସମୀକ୍ଷା କାମରେ ଡାକିଥିବା କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଏନେଇ ଶ୍ରୀ ମଲ୍ଲିକଙ୍କ ଲିଖିତ ଅଭିଯୋଗ ମୂଳେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ବିରୋଧରେ କେସ୍‌ ନମ୍ବର ୫୦/୨୨ରେ(ଦଫା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬) ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର