ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ପ୍ରାର୍ଥୀଙ୍କ ଆବେଦନ, ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ହାଇକୋର୍ଟରେ ଜାଲ ମାମଲା ଅଭିଯୋଗ ପ୍ରସଂଗରେ ଆଜି ଶୁଣାଣି ଶେଷ ହୋଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ମାମଲାର ନିରପେକ୍ଷ ତଦନ୍ତ ଏକ ସ୍ବାଧୀନ ସଂସ୍ଥା ଦ୍ବାରା କରିବା ପାଇଁ ନି‌‌େର୍ଦ୍ଦଶ ପ୍ରଦାନ ଲାଗି ପ୍ରତିପକ୍ଷ ତଥା କୋରାପୁଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରଘୁରାମ ପୋଡାଲ ଦାୟର କରିଥିବା ଆବେଦନର ଆଜି ମୂଳ ରିଟ୍ ପିଟିସନ୍ ସହିତ ‌ଶୁଣାଣି ହୋଇଛି।

ଶ୍ରୀ ପୋଡାଲଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ତାଙ୍କୁ ନିର୍ବାଚନ ଲଢିବାରୁ ରୋକିବା ପାଇଁ ଷଡଯନ୍ତ୍ର କରି ଏପରି ଜାଲ ମାମଲା ବଳଭଦ୍ର ମାଣ୍ଡିଙ୍କ ନାଁରେ ଅନ୍ୟ କେହି ହାଇକୋର୍ଟରେ ରୁଜୁ କରିଥିଲା। ତାଙ୍କ ଅନୁସୂଚିତ ଜାତି(ଏସସି) ପ୍ରମାଣପତ୍ର ପ୍ରସଂଗକୁ ନେଇ ଦକ୍ଷିଣାଞ୍ଚଳ ଆରଡିସି ତଥା ଷ୍ଟେଟ ଲେଭଲ ସ୍କ୍ରୁଟିନି କମିଟି ଅଧ୍ୟକ୍ଷଙ୍କ ନିକଟରେ ବଳଭଦ୍ର ମାଣ୍ଡିଙ୍କ ନାଁରେ କେହି ଜଣେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ କମିଟି ନିକଟରେ ବିଚାରାଧୀନ ଥିବା ବେଳେ ଶ୍ରୀ ମାଣ୍ଡି ୨୦୧୮, ଅକ୍ଟୋବର ୨୯ରେ ଚିଠି ଲେଖି ଜଣାଇଥିଲେ ଯେ ଏପରି କିଛି ଅଭିଯୋଗ ସେ କରି ନାହାନ୍ତି। ଏହା ପରେ କମିଟି ନିକଟରେ ଏହି ପ୍ରସଂଗକୁ ନେଇ ଚୂଡାନ୍ତ ଶୁଣାଣି ବେଳେ ଶ୍ରୀ ମାଣ୍ଡି ମଧ୍ୟ ଅନୁପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପୁଣି ଶ୍ରୀ ମାଣ୍ଡିଙ୍କ ନାଁରେ ଅନ୍ୟ କେହି ହାଇକୋର୍ଟରେ କମିଟି ନିଷ୍ପତ୍ତି ବିରୋଧରେ ଜାଲ ମାମଲା ରୁଜୁ କରିଥିଲେ। କମିଟି ନିକଟରେ ଓ ହାଇକୋର୍ଟରେ ଏପରି ଜଣଙ୍କ ନାଁରେ ଜାଲିଆତି କରି ଅନ୍ୟ କେହି ମାମଲା ରୁଜୁ କରିବା ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପୋଡାଲଙ୍କ ପକ୍ଷରୁ ଦର୍ଶାଯାଇଥିଲା।
ବଳଭଦ୍ର ମାଣ୍ଡିଙ୍କ ପକ୍ଷରୁ ଆଇନଜୀବୀ ରାଧାରମଣ ଦାସନାୟକ ଏବଂ ରଘୁରାମ ପୋଡାଲଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ଓ ଅଧିକାରୀ ଚିତ୍ତରଂଜନ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର