ହାଇକୋର୍ଟରେ ଶୁଣାଣି 

ଓଡ଼ିଶା ପାନୀୟ ନିଗମରେ ସହକାରୀ ମ୍ୟାନେଜର ନିଯୁକ୍ତି : ଚୂଡ଼ାନ୍ତ ତାଲିକା ପ୍ରକାଶନରେ ପ୍ରତିବନ୍ଧକ

କଟକ : ଓଡ଼ିଶା ପାନୀୟ ନିଗମ ଲିମିଟେଡ଼ (ଓଏସ୍‌ବିସିଏଲ୍)ରେ ସହକାରୀ ମ୍ୟାନେଜର ନିଯୁକ୍ତି ସଂକ୍ରାନ୍ତୀୟ ଚୂଡ଼ାନ୍ତ ତାଲିକା ପ୍ରକାଶନ ଉପରେ ହାଇକୋର୍ଟ ଅଂକୁଶ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସିଷ୍ଟାଣ୍ଟ ମ୍ୟାନେଜର ନିଯୁକ୍ତି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣି କରି ଅଦାଲତଙ୍କ ବିନା ଅନୁମତିରେ ଚୂଡାନ୍ତ ଫଳ ପ୍ରକାଶ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ଷ୍ଟେଟ କୋ-ଅପରେଟିଭ୍ ଅଏଲ ସିଡ଼୍ସ ପ୍ରୋରର୍ସ ଫେଡ଼େରେସନ ଲିମିଟେଡ଼(ଅଏଲ ଓଡ଼ିଶା)ରେ ୧୯୯୬ ମାର୍ଚ୍ଚ ୨୪ରୁ ନିଯୁକ୍ତି ପାଇ ଆବେଦନକାରୀ ପ୍ରତାପଚନ୍ଦ୍ର ବସ୍ତିଆ କାର୍ଯ୍ୟ କରୁଥିଲେ। ଅଏଲ ଓଡ଼ିଶାର ଆର୍ଥିକ ବ୍ୟବସ୍ଥା ଦୁର୍ବଳ ହୋଇଯିବାରୁ ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଥଇଥାନ ଲାଗି ଅବକାରୀ ବିଭାଗ ୨୦୦୨, ଜୁଲାଇ ୧୫ରେ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଓଏସ୍‌ବିସିଏଲରେ ପଦ ସୃଷ୍ଟି ପାଇଁ ଚିଠି ଲେଖିଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ସମେତ ଅନ୍ୟମାନେ ଗତ ୨୦୦୧ରୁ ଅଏଲ୍ ଓଡ଼ିଶାରୁ ଡେପୁଟେସନ ଆସି ଓଏସ୍‌ବିସିଏଲରେ କାର୍ଯ୍ୟ କରୁଛନ୍ତି ବୋଲି ୨୦୦୯ ନଭେମ୍ବର ୯ର ପତ୍ରରେ ଅବକାରୀ ବିଭାଗକୁ ଅବଗତ କରାଯାଇଥିଲା। ସେହିପରି ଆବେଦନକାରୀଙ୍କ ସମେତ ଅନ୍ୟମାନଙ୍କୁ ଓଏସ୍‌ବିସିଏଲରେ ଖାଲି ପଡିଥିବା ପଦବିରେ ସ୍ଥାୟୀ ଭାବେ ଥଇଥାନ ପ୍ରସଂଗ ଏବେ ବିଚାରାଧୀନ ଥିବାବେଳେ ସହକାରୀ ମ୍ୟାନେଜର ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରି ବିଜ୍ଞପ୍ତିକୁ ଆବେଦନକାରୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।

ଆଜିର ଏହାର ଶୁଣାଣି କରି ହାଇକୋର୍ଟ ବିନା ଅନୁମତିରେ ଚୂଡାନ୍ତ ଫଳ ପ୍ରକାଶ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବକାରୀ ସଚିବ, ରାଜ୍ୟ ପବ୍ଲିକ୍ ଏଣ୍ଟରପ୍ରାଇଜର ସଚିବ, ଓଏସ୍‌ବିସିଏଲ୍ ଓ ଅଏଲ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିପ୍ଳବ ମହାନ୍ତି, ତରୁଣକାନ୍ତ ପଟ୍ଟନାୟକ, ସୋମା ପଟ୍ଟନାୟକ ପ୍ରମୁଖ ସହାୟତା କରୁଛନ୍ତି।

ଉଷ୍ଣ ପ୍ରସ୍ରବଣ ନାମ ପରିବର୍ତ୍ତନରେ ଅଙ୍କୁଶ

କଟକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଉଷ୍ଣ ପ୍ରସ୍ରବଣସ୍ଥଳୀର ନାମ ପରିବର୍ତ୍ତନ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପର୍ଯ୍ୟଟନ ବିଭାଗର ଏ ସଂପର୍କିତ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି। ତରବାଲୋର ନାମ ପରିବର୍ତ୍ତନ କରି ନୀଳକନ୍ଦର ଉଷ୍ଣ ପ୍ରସ୍ରବଣ କରିବାକୁ ନେଇ ୨୦୧୭ରେ ପର୍ଯ୍ୟଟନ ବିଭାଗ ପ୍ରକାଶ କରିଥିବା ବିଜ୍ଞପ୍ତି ଆଧାରରେ ଅଦାଲତଙ୍କ ବିନା ଅନୁମତିରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତରବାଲୋ ଗ୍ରାମର ଧନେଶ୍ବର ପ୍ରଧାନ ଓ ଅନ୍ୟ ୨୯ ଜଣ ଗ୍ରମାବସୀଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବତ୍ବର୍ତ୍ତୀ ଶୁଣାଣି ୨୦୧୯, ଫେବ୍ରୁଆରି ୧୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ରାୟଗୁରୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର