ସ୍ପାଇସଜେଟ ବିରୋଧରେ ଖାଉଟି ଅଦାଲତରେ ମାମଲା

ଝାରସୁଗୁଡ଼ା: ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ସ୍କାଇସଜେଟ୍ ବିରୋଧରେ ଜିଲ୍ଲା ଖାଉଟି ଅଦାଲତରେ ଏକ ମାମଲା ରଜୁ ହୋଇଛି । ଜନୈକ ଯାତ୍ରୀ ତାଙ୍କ ପରିବାର ସହ ପଶ୍ଚିମବଙ୍ଗର ବାଗଡୋଗରା ବିମାନବନ୍ଦରରୁ ସ୍ପାଇସଜେଟ୍ ବିମାନ ଯୋଗେ କୋଲକାତା ଆସିବାକୁ ଥିବା ବେଳେ ସେ ଏବଂ ଅନ୍ୟ ଯାତ୍ରୀଙ୍କୁ ବାଗଡୋଗରାରୁ କୋଲକାତା ପରିବର୍ତ୍ତେ ଆସାମର ଗୌହାଟୀକୁ ନେଇ  ସେଠାରେ ପ୍ରାୟ ତିନି ଘଣ୍ଟା କାଳ ଅଟକାଇ ରଖିବା ପରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲା । ଯାହା ଫଳରେ ବିମାନଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗିବା ସହ ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳକୁ  ଯିବା ପାଇଁ  ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ଅଧିକ ଖର୍ଚ୍ଚାନ୍ତ ହୋଇଥିଲେ । ଯାହାର ଭରଣା ପାଇଁ ଖାଉଟି ଅଦାଲତରେ ଏକ ମାମଲା ଦାୟର ହେବା ସହ ପକ୍ଷଭୁକ୍ତ ସ୍କାଇସଜେଟ୍ ବିମାନ କର୍ତ୍ତୃପକ୍ଷଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ କୋର୍ଟରେ ହାଜର ହେବାକୁ ସମନ କରାଯାଇଛି । ଝାରସୁଗୁଡ଼ା ଠାରେ ପୁଲିସ ବିଭାଗରେ ଅବସ୍ଥାପିତ ଏସଡିପିଓ ନିର୍ମଳ କୁମାର ମହାପାତ୍ର ଖାଉଟି ଅଦାଲତରେ ଏହି ମାମଲା ଦାୟର କରିଛନ୍ତି ।

ସେ ଗତ ତାଙ୍କ ପତ୍ନୀ ଏବଂ ନାବାଳକ ପୁଅଙ୍କୁ ନେଇ ଛୁଟି କଟାଇବା ଲାଗି ଗତ ୨୦୨୧ ନଭେମ୍ବର ୨୫ ତାରିଖ ଠାରୁ ୨୯ ତାରିଖ ଯାଏ ଆସାମକୁ ଯାଇଥିଲେ । ଶ୍ରୀ ମହାପାତ୍ର ଏବଂ ତାଙ୍କ ପତ୍ନୀ ମଧ୍ୟ ପୁଲିସ ବିଭାଗରେ ଡିଏସପି ଭାବେ ଝାରସୁଗୁଡ଼ା ଠାରେ ଅବସ୍ଥାପିତ ଥିବାରୁ ଉଭୟେ ଛୁଟି ପରେ ୩୦ ନଭେମ୍ବର ଦିନ ଝାରସୁ ଗୁଡ଼ା ଠାରେ କାର୍ଯ୍ୟରେ ଯୋଗ ଦେବାର ଥିଲା । ସେ ଦୃଷ୍ଟିରୁ ବାଗଡୋଗରା ଠାରୁ କୋଲକାତାକୁ ୨୯ ତାରିଖ ଦିନ ସ୍କାଇସଜେଟ ବିମାନରେ ଟିକେଟ କରି ଫେରିବାର ଯୋଜନା କରିଥିଲେ । ସେହି ଅନୁଯାୟୀ ଟିକେଟ ବୁକ୍ ହୋଇଥିଲା । ବାଗଡୋଗରାରୁ ଅପରାହ୍ନ ୪ଟା ୫୫ ମିନିଟରେ ବିମାନ ଉଡ଼ାଣ କରି କୋଲକାତା ବିମାନବନ୍ଦରରେ ୬ଟା ୩୦ ମିନିଟରେ ପହଞ୍ଚିବାକୁ ଟିକେଟରେ ଉଲ୍ଲେଖ ରହିଥିଲା । ସେହି ଅନୁଯାୟୀ କୋଲକାତାରୁ ଟ୍ରେନ ଯୋଗେ ଝାରସୁଗୁଡ଼ା ଫେରିବାକୁ ମଧ୍ୟ ଉକ୍ତ ପରିବାର ଟିକେଟ ବୁକ କରିଥିଲେ ।

ମାତ୍ର ବିମାନଟି ସିଧାସଳକ ବାଗଡୋଗରା ଠାରୁ କୋଲକାତା ଆସିବା ପରିବର୍ତ୍ତେ ଗୌହାଟୀ ଯାତ୍ରା କରିଥିଲା । କୌଣସି କାରଣ ଏବଂ ପୂର୍ବ ସୂଚନା ନ ଥାଇ ଯାତ୍ରା ପଥ ପରିବର୍ତ୍ତନ କରାଯିବା ଯାତ୍ରୀଙ୍କୁ ଚକିତ କରିଥିଲା । ଯାତ୍ରୀମାନେ ଏହାର ବିରୋଧ କରିଥିଲେ ହେଁ କାହାରି କଥା କେହି ଶୁଣି ନ ଥିଲେ । ସେଠାରେ ତିନି ଘଣ୍ଟା କାଳ ଅଟକି ରହିବା ସହ ଏସି ବନ୍ଦ କରି ଦିଆଯିବାରୁ ଅନେକ ଯାତ୍ରୀଙ୍କ ସମେତ ଶ୍ରୀ ମହାପାତ୍ରଙ୍କ ପୁଅର ସ୍ଵାସ୍ଥାବସ୍ଥା ବିଗିଡ଼ି ଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି । ସେଠାରେ ଯାତ୍ରୀଙ୍କ ରହଣୀ ପାଇଁ କୌଣସି ପ୍ରକାର ସୁବିଧା ନ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ ।

ବିଳମ୍ବରେ କୋଲକାତାରେ ପହଞ୍ଚିବା କାରଣରୁ ଶ୍ରୀ ମହାପାତ୍ର ଏବଂ ତାଙ୍କ ପରିବାର ଆଉ ଟ୍ରେନ ପାଇବା ସମ୍ଭବ ନ ଥିଲା । ସେଠାରୁ ସଡ଼କ ପଥରେ ଝାରସୁଗୁଡ଼ାକୁ ଆସିବାରେ ପ୍ରାୟ ୨୦ ହଜାର ଟଙ୍କା ଅତିରିକ୍ତ ଭାବେ ଖର୍ଚ୍ଚ କରିଥିଲେ । ଏନେଇ ବରିଷ୍ଠ ଆଇନଜୀବୀ ପି ରାମମୋହନ ରାଓଙ୍କ ଦ୍ବାରା ସ୍କାଇସଜେଟ୍ ବିମାନ କର୍ତ୍ତୃପକ୍ଷଙ୍କୁ ନୋଟିସ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା । ଶେଷରେ ସେ ଆଇନଜୀବୀ ଶ୍ରୀ ରାଓଙ୍କ ସହାୟତାରେ ଖାଉଟି ଅଦାଲତରେ ସ୍ପାଇସଜେଟ୍ ଲିମିଟେଡ୍‌ ଏବଂ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସ୍କାଇସଜେଟ୍‌ଙ୍କ ବିରୋଧରେ ଏକ ମାମଲା ଦାୟର କରି ଅଦାଲତରେ ନ୍ୟାୟ ଭିକ୍ଷା କରିଛନ୍ତି । କ୍ଷତିପୂରଣ ଏବଂ ମାନସିକ ଓ ଶାରୀରିକ ସ୍ତରରେ ପୀଡ଼ା ପାଇଁ ୫ ଲକ୍ଷ ଟଙ୍କା ଏବଂ ପୂର୍ବ ସୂଚନା ବିନା ବିମାନର ଗତିପଥ ବଦଳାଯିବା ଜନିତ କ୍ଷତି ଏବଂ ଅସୁବିଧା ପାଇଁ ଦଶ ଲକ୍ଷ ଟଙ୍କା ଭରଣା ପାଇଁ ଅଦାଲତରେ ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧିତ ଖବର