ହାଇକୋର୍ଟରେ ଆନ୍ଦୋଳନ ଓ ରାସ୍ତାରୋକ ସ୍ଥିତିର ମୁକାବିଲା ପାଇଁ ମାମଲା: ନିୟମ ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ବନ୍ଦ୍, ଆନ୍ଦୋଳନ, ହରତାଳ ଓ ରାସ୍ତାରୋକ ଭଳି ଘଟଣାର ମୁକାବିଲା ପାଇଁ କେଉଁ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି, ଜରୁରି ପରିସ୍ଥିତିର ମୁକାବିଲା ପାଇଁ କଣ ନିୟମ ବା ପ୍ରକ୍ରିୟା ରହିଛି ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏଭଳି ଘଟଣା ପାଇଁ କ’ଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି ସେ ସଂପର୍କରେ ମଧ୍ୟ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ.‌କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମୈତ୍ରୀ ସଂସଦ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ୨୦୧୫ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବାଣୀବିହାର ଛକରେ ଗାଡି ମଟର ଅଟକି ରହିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମଟର ଅଟକି ରହିଥିଲା। ଏହି ସମୟରେ ନିଜ କାର୍ ଯୋଗେ ଫେରୁଥିବା ସୁମନ ଶର୍ମାଙ୍କ ଗାଡି ଭିଡ ଯୋଗୁଁ ରାସ୍ତାରେ ଅଟକି ରହିଥିଲା। ଗାଡି ଭିତରେ ସୁମନ ବେହୋସ୍ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାରମ୍ବାର ଆନ୍ଦୋଳନ ‌ଓ ଅନ୍ୟାନ୍ୟ କାରଣରୁ ରାସ୍ତାରେ ଗାଡି ମଟର ଅଟକି ରହୁଛି। ଏପରି ପରିସ୍ଥିତି ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ଦର୍ଶାଇ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ତଦନ୍ତ କରି ଭବି‌ଷ୍ୟତରେ ‌ଯେପରି ଏପରି ପରିସ୍ଥିତି ସୃଷ୍ଟି ନ ହେବ ସେଥି ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଏଥି ସହିତ ଏହି ଘଟଣାରେ ଯେଉଁ ମାନେ ଦୋଷୀ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର