ବାଲି ବୋଝେଇ ଗାଡ଼ି ଯୋଗୁ ଟ୍ରାଫିକ ସମସ୍ୟା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ହଂସପାଳ ବ୍ରିଜ ନିକଟବର୍ତ୍ତୀ କୁଆଖାଇ ନଦୀ ଶଯ୍ୟାରୁ ପ୍ରତି ଦିନ ଶତାଧିକ ଟ୍ରକ୍‌, ଟ୍ରାକ୍ଟର ଓ ଡମ୍ପର ବାଲି ଚାଲାଣ କରୁଥିବା ବେଳେ ଏଥି ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁରର ବାସିନ୍ଦା ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ହଂସପାଳ ବ୍ରିଜ ନିକଟରୁ ପ୍ରତିଦିନ ବାଲି ଉତ୍ତୋଳନ କରାଯାଉଛି। ଏହି କାମରେ ଶତାଧିକ ଟ୍ରାକ୍ଟର, ଟ୍ରକ ଓ ଡମ୍ପର ନିୟୋଜିତ କରାଯାଇଛି। ନଦୀରୁ ବାଲି ବୋଝେଇ କରି ଏହି ଗାଡି ଗୁଡିକ ମୁଖ୍ୟ ରାସ୍ତାରେ ଯାତାୟତ କରିବା ସମୟରେ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନ ରାତି ଏହି ବାଲି ବୋଝେଇ ଗାଡି ଦ୍ରୁତ ଗତିରେ ରାସ୍ତାରେ ଯା’ ଆସ କରୁଛନ୍ତି। କଟକ-ଭୁବନେଶ୍ୱର ମଧ୍ୟରେ ସର୍ବସାଧାରଣଙ୍କ ଯାତାୟତରେ ଏହି ଗାଡି ଗୁଡିକ ବ୍ୟାପକ ଅସୁବିଧା ସୃଷ୍ଟି କରୁଛନ୍ତି। ହାଇଟେକ୍‌ ଛକ ଓ ମଞ୍ଚେଶ୍ୱର ବାଇ ପାସ୍‌ ମଧ୍ୟରେ ବିଶେଷ ଭାବେ ସମସ୍ୟା ସୃଷ୍ଟି ହେଉଛି। ଏହି ବାଲି ବୋଝେଇ ଗାଡି ଗୁଡିକ ପାଇଁ ରାସ୍ତାରେ ଅନ୍ୟମାନଙ୍କ ପାଇଁ ବିପଦ ଦେଖା ଦେଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଅଧିକ ଟ୍ରାଫିକ ପୁଲିସ ନିୟୋଜିତ କରାଯାଉ ନାହିଁ। ଏଥି ସହିତ ଏପରି ଗାଡି ଗୁଡିକ ଉପରେ ଅଙ୍କୁଶ ଜାରି ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି କାର୍ଯ୍ୟରେ ନିୟୋଜିତ ଗାଡି ଗୁଡିକ ବାଲି ଚାଲାଣ ପାଇଁ ଅନୁମତି ପାଇଛନ୍ତି କି ନାହିଁ, ସେମାନଙ୍କ କାଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ଏହି ମାମଲାରେ ଆଇନ ସଚିବ, ପୁଲିସ କମିସନର, ଭୁବନେଶ୍ୱର ଡିସିପି, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ୱର ତହସିଲଦାର ଓ ପ୍ରାଚୀ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର