କଟକ: ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନାମାଙ୍କନ ବେଳେ ଶ୍ରୀ ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ। ଏଥିରେ ତାଙ୍କ ବିରୋଧରେ ଥିବା ୪ଟି ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ଉଲ୍ଲେଖ କରାଯାଇନାହିଁ। ଏଥିସହିତ ୮ଟି ପୋଲିଂ ଷ୍ଟେସନ୍‌ର ଭୋଟ ଗଣତିରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଙ୍ଗରେ ହାଇକୋର୍ଟ ବିଧାୟକ ଶ୍ରୀ ତ୍ରିପାଠୀଙ୍କୁ ସମନ୍ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବାକୁ ନି‌ର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ଜଳେଶ୍ବର ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଦାୟର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କୁ ସମନ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ରଖିବାକୁ ଶ୍ରୀ ପାତ୍ରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ତଥା ଜନପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥାକୁ ଅଣଦେଖା କରି ବିଜେଡି ପ୍ରାର୍ଥୀ ଶ୍ରୀ ପାତ୍ର ଜଳେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ପୋଲିଂ ଏଜେଣ୍ଟ ଓ କାଉଣ୍ଟିଂ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲେ। ନିୟମ ଉଲ୍ଲଂଘନ କରିଥିବାରୁ ଶ୍ରୀ ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Advertisment

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଜଣେ ସାଧାରଣ ଭୋଟର କିଶୋର କୁମାର ନାୟକ ଦାୟର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ପ୍ରତିପକ୍ଷ ତଥା ଚାନ୍ଦବାଲି ଆସନରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ରାୟ, ବିଜେପି ପ୍ରାର୍ଥୀ ମନମୋହନ ସାମଲ, କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର ଓ ଅନ୍ୟ ୭ଜଣ ପ୍ରାର୍ଥୀଙ୍କୁ ହାଇକେର୍ଟ ସମନ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠରେ ଭୁଲ ତଥ୍ୟ ଶ୍ରୀ ରାୟ ଦେଇଛନ୍ତି। ଏଭଳି ସ୍ଥିତିରେ ଶ୍ରୀ ରାୟଙ୍କ ନାମାଙ୍କନପତ୍ର ବେଆଇନ ଭାବେ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀ ରାୟଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ବିଧାୟକ ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ତିନୋଟି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର୍‌ ୨୩ରେ କରିବା ପାଇଁ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି କଣ୍ଟାବାଞ୍ଜିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଜଣେ ଭୋଟର ଗିରିରାଜ ସିଂହ ମାଝୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଜଷ୍ଟିସ୍‌ ଆନନ୍ଦଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ଶ୍ରୀ ବାଗଙ୍କୁ ନୋଟିସ୍ ଜାରି କରିଛନ୍ତି। ‌ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ସତ୍ୟପାଠରେ ଶ୍ରୀ ବାଗ ସ୍ଥାବର, ଅସ୍ଥାବର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଆପରାଧିକ ମାମଲା ସଂକ୍ରାନ୍ତରେ ଭୁଲ ତଥ୍ୟ ଦେଇଛନ୍ତି। ତେଣୁ ତାଙ୍କ ନାମାଙ୍କନ ଗ୍ରହଣ କରାଯିବା ବେଆଇନ। ଏହି ମାମଲାର ସେପ୍ଟେମ୍ବର୍‌ ୨୭ରେ ପରବର୍ତ୍ତୀ ଶୁଣାଣି ହେବ। ଦୀପାଳି ଦାସଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ପ୍ରଧାନ, ତରଣୀକାନ୍ତ ବିଶ୍ବାଳ, ବ୍ରଜମୋହନ ପ୍ରଧାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଉପେନ୍ଦ୍ର କୁମାର ସାମଲ, କ‌ିଶୋର କୁମାର ନାୟକଙ୍କ ତରଫରୁ ଆଇନଜୀବୀ ନିରୋଦ କୁମାର ସାହୁ, ଗିରିରାଜ ସିଂହଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ‌ଗୋପାଳ ଅଗ୍ରୱାଲ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି।