ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଯନ୍ତ୍ରାଂଶ କିଣାଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଚାମ୍ବର ଡିଜାଇନ୍ରେ ମନଇଚ୍ଛା ଖର୍ଚ ହୋଇଥିବା ନେଇ କିଶୋର ଚନ୍ଦ୍ର ଦାଶ ନାମକ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର କରିଛନ୍ତି। ଲୋକାୟୁକ୍ତଙ୍କ ନିକଟରେ ଏହି ମାମଲାର ଶୁଣାଣି ଆସନ୍ତା ମାର୍ଚ ମାସ ୪ତାରିଖରେ ହେବ ବୋଲି ସୂଚନା ମିଳିଛି। ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ଯେ, ବିଭାଗ ଅଧୀନରେ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ବା ଏସ୍ଆଇଇପି ରହିଛି। ତହିଁରେ ୨୧ ପ୍ରକାରର ଭିନ୍ନକ୍ଷମତାକୁ ଗୁରୁତ୍ବ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଏସ୍ଆଇଇପିରେ ବିଭାଗ ପକ୍ଷରୁ ରୋବୋଟିକ୍ ଯନ୍ତ୍ରାଂଶ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି। ଯନ୍ତ୍ରାଂଶର ବଜାର ମୂଲ୍ୟଠାରୁ ଯଥେଷ୍ଟ ଅଧିକ ଦରରେ ଏହାକୁ କିଣାଯାଇଛି। ଓଲଟପୁରସ୍ଥିତ ନିରତାରରେ ସମାନ ରୋବୋଟିକ୍ ଯନ୍ତ୍ରାଂଶ କିଣାକୁ ନେଇ ମାମଲା ସିବିଆଇ ତଦନ୍ତ ପରିସରଭୁକ୍ତ ରହିଥିବା ବେଳେ ଏସ୍ଆଇଇପିରେ ଯନ୍ତ୍ରାଂଶ କିଣାରେ ମନଇଚ୍ଛା ଖର୍ଚ ହୋଇଥିବା ସରକାରୀ ଟଙ୍କାର ତଦନ୍ତ କରାଯାଉ। ସେହିପରି ଗତ ୩/୪ବର୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ସହାୟକ ଯନ୍ତ୍ର କିଣାରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟୟ କରାଯାଇଛି। ଅପରପକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପରିବର୍ତେ ବିଭାଗୀୟ ଅଧିକାରୀ ନିଜ ଚାମ୍ବରକୁ ସଜାଇବାରେ ମନଇଚ୍ଛା ଟଙ୍କା ଖର୍ଚ କରିଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରବ ବୋଲି ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଛନ୍ତି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ବ୍ୟାପକ ଦୁର୍ନୀତି : ଲୋକାୟୁକ୍ତରେ ମାମଲା ଦାୟର
/sambad/media/post_attachments/wp-content/uploads/2019/12/court-aa.jpg)