କେନ୍ଦୁଝରରେ ଶିଳ୍ପ ପାଇଁ ଜଙ୍ଗଲ ଜମିକୁ ବିରୋଧ, ଏନ୍‌ଜିଟିରେ ମାମଲା

କଟକ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ପଞ୍ଚାୟତର ଶଙ୍କରୀ ଗ୍ରାମରେ ୨୦ ହଜାରରୁ ଅଧିକ ଗଛ ଥିବା ଜମିକୁ ଶିଳ୍ପ ପାଇଁ ପ୍ରଦାନ ନ କରିବା ସପକ୍ଷରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ନିର୍ଦ୍ଦେଶରେ ଗଠିତ କମିଟି ରିପୋର୍ଟ ଦେଇଛି। ଏନଜିଟିଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଡିଏଫଓ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କ ପ୍ରତିନିଧି ତଥା କେନ୍ଦୁଝର ଆରଓ ଓ ପରିବେଶ, ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରତିନିଧି ତଥା ବୈଷୟିକ ଅଧିକାରୀଙ୍କୁ ନେଇ ଗଠିତ କମିଟି ୨୦୧୯, ମାର୍ଚ୍ଚ ୧୬ରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ରେକର୍ଡ ଯାଞ୍ଚରୁ ଜଣା ପଡିଥିଲା ଯେ ଶଙ୍କରୀ ରାଜସ୍ବ ଗ୍ରାମରେ ୩୦୬.୬୭୦ ଏକର ସରକାରୀ ଜମିକୁ ଇଡକୋକୁ ପ୍ରଦାନ କରାଯାଇଥିଲା। ଏହି ଜମିକୁ ଇଡକୋ ଲ୍ୟାଣ୍ଡ ଅଫିସର ଏକ ଘରୋଇ ଶିଳ୍ପ ସଂସ୍ଥାକୁ ୨୦୧୮, ମାର୍ଚ୍ଚ ୮ରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗୁଆ ଦଖଲ ଦେଇଥିଲେ। ବନ ବିଭାଗ ରେଞ୍ଜ ଅଫିସର କମିଟିକୁ ଅବଗତ କରିଥିଲେ ଯେ ଏହି ଜମି ଉପରେ ୨୦,୦୦୩ଟି ଗଛ ରହିଛି। ଜମିର କିଶମ ଜଙ୍ଗଲ ହୋଇ ନଥିଲେ ମଧ୍ୟ ଏହି ଅଞ୍ଚଳ ମଧ୍ୟମ ଘଞ୍ଚ ଜଙ୍ଗଲ ବୋଲି ଘଟଣାସ୍ଥଳ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା। ଗଛ କାଟିବା ପାଇଁ ଡିଏଫଓଙ୍କ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ। ଏଥି ସହିତ ଏହି ଜମି ଉପରେ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟ ସଂପୃ୍କ୍ତ ସଂସ୍ଥା ଆରମ୍ଭ କରି ନାହିଁ। ଏହି ଜମି ସଂପର୍କିତ ପ୍ରସ୍ତାବିତ ଲିଜ୍ ପ୍ରସଂଗରେ ଆଉ ଅଗେଇବା ଉଚିତ ହେବ ନାହିଁ ବୋଲି ଅନୁମୋଦନ କରିବା ଆବଶ୍ୟକ ବୋଲି କମିଟି ଅନୁଭବ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରି ପରିସ୍ଥିତିରେ ଶିଳ୍ପ ସଂସ୍ଥାକୁ ମଞ୍ଜୁର କରାଯାଇଥିବା ଜମିର ଆଗୁଆ ଦଖଲକୁ ରଦ୍ଦ କରିବା ପାଇଁ କମିଟି ଅନୁମୋଦନ କରିଛି। ଏପରି ପରାମର୍ଶ ଥିବା ରିପୋର୍ଟ କମିଟି ଏନଜିଟି ରେଜିଷ୍ଟ୍ରିରେ ଦାଖଲ କରିଥିବା ବେଳେ ଏହାର କପି ଆବେଦନକାରୀଙ୍କୁ ଏନଜିଟି ପକ୍ଷରୁ ପ୍ରଦାନ କରାଯାଇଛି। ମେ’୨୮ରେ ଏ ସଂପର୍କିତ ମାମଲାର ଏନଜିଟିରେ ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଝରଣା ପ୍ରଧାନ ଓ ଅନ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିବା ବେଳେ ସୂଚନା ଅଧିକାର କର୍ମୀ ଶଶିଭୂଷଣ ପଟ୍ଟନାୟକ, ଆଇନଜୀବୀ ମନୋଜ ପାଣିଗ୍ରାହୀ, ରାକେଶ ଷଡଙ୍ଗୀ ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର