ତାଳଚେର: ତାଳଚେର ସହରରେ ଜଣେ କାଉନ୍‌ସିଲର ବଡ଼ବଜାରଠାରୁ ରାମଚନ୍ଦ୍ର ବଜାର ପର୍ଯ୍ୟନ୍ତ ଆବର୍ଜନା ପକାଇବା ଘଟଣାକୁ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତବାକ, ତାଳଚେର ପୌର ପରିଷଦରେ ଗତ ଶୁକ୍ରବାର ମଧ୍ୟରାତ୍ରିରେ କାଉନ୍‌ସିଲ୍‌ର ସ୍ବାଧୀନ ଥମ୍ବ କିଛି ସଫେଇ କର୍ମଚାରୀଙ୍କୁ ନେଇ ବଡ଼ବଜାରଠାରୁ ରାମଚନ୍ଦ୍ର ବଜାର ପର୍ଯ୍ୟନ୍ତ ରାସ୍ତାରେ ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରିଥିଲେ। କିନ୍ତୁ ଗତକାଲି ଗାନ୍ଧୀ ଜୟନ୍ତୀ ଥିବାରୁ ତାଳଚେର ନଗରପାଳ ପବିତ୍ର ଭୂତିଆ ଭୋରରୁ ଉଠି ସହର ଉପରେ ନଜର ପକାଇଥିଲେ। ପରେ ସହରର ପ୍ରମୁଖ ରାସ୍ତା ତଥା ବଡ଼ବଜାରଠାରୁ ରାମଚନ୍ଦ୍ର ବଜାର ପର୍ଯ୍ୟନ୍ତ ଅଳିଆ ପଡ଼ିଥିବା ଦେଖି ସେ, ଅନ୍ୟ କିଛି କାଉନ୍‌ସିଲର ଓ ସ୍ବେଚ୍ଛାସେବୀଙ୍କୁ ନେଇ ରାସ୍ତାରୁ ଆବର୍ଜନା ଉଠାଇଥିଲେ। ଏହି ସମୟରେ କାଉନ୍‌ସିଲର ଶ୍ରୀ ଥମ୍ବ କିଛି ଲୋକଙ୍କୁ ନେଇ ପୁନର୍ବାର ନଗରପାଳ ସଫା କରିଥିବା ରାସ୍ତା ଉପରେ ଆବର୍ଜନ‌ା ପକାଇଥିଲେ।

Advertisment

ଏହାକୁ ନେଇ ଘଟଣାସ୍ଥଳରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନଗରପାଳଙ୍କ ସହିତ ଅନ୍ୟ କାଉନ୍‌ସିଲରମାନେ ତାଙ୍କୁ ଏଥିରୁ ନବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିରେ ଶ୍ରୀ ଥମ୍ବ ରାଗିଯାଇ ନଗରପାଳଙ୍କୁ ହତ୍ୟା ଭଳି ଧମକ ଦେଇଥିଲେ। କେବଳ ସେତିକି ନୁହଁ ମିଛ କେସ୍‌ ଦେଇ ଥାନାରେ ପୂରାଇ ଦେବେ ବୋଲି ଧମକ ଦେଇଥିବା ଶ୍ରୀ ଭୂତିଆ ଅଭିଯୋଗ କରିଛନ୍ତି। ଏ ନେଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍‌ ନଂ ୭୩୭/୨୨ରେ ଆଇପିସି ୨୯୪/୨୯୦/୫୦୬/୩୪ ଭଳି  ଦଫା ଲଗାଇ ଘଟଣା ତଦନ୍ତ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏ ସଂପର୍କରେ କାଉନ୍‌ସିଲର ଶ୍ରୀ ଥମ୍ବଙ୍କୁ ପାଚାରିବାରୁ ସେ କହିଛନ୍ତି ଯେ ‌ଗତକାଲି ଅଳିଆ ଆବର୍ଜନା ପକାଇବା ଘଟଣାକୁ ନେଇ କିଏ ଗାଳିଗୁଲଜ କରିଥିଲା ସେଥି ପାଇଁ ନଗରପାଳ ଅଭିଯୋଗ ଦେଇଛନ୍ତି।  ଏ ନେଇ ନଗରପାଳ ଶ୍ରୀ ଭୂତିଆଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କାଉନ୍‌ସିଲର ସ୍ବାଧୀନ ଥମ୍ବ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏ ବାବଦରେ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତାଳଚେର ଥାନା ଅଧିକାରୀ ଶ୍ରନିବାସ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ନଗରପାଳ ଅଭିଯୋଗ ଦେଇଛନ୍ତି। ଏହିି ଆଧାରରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ଦେଇଛନ୍ତି।