ପ୍ରକୃତ ମୃତ୍ୟୁସଂଖ୍ୟା ଅଡିଟ୍‌ ପାଇଁ ହାଇକୋର୍ଟରେ ମାମଲା

କଟକ : କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ରାଜ୍ୟ ସରକାର ଲୁଚାଉଛନ୍ତି। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉନାହିଁ। ତେଣୁ ଏହାର ସ୍ବତନ୍ତ୍ର ଅଡିଟ୍ କରି ପ୍ରକୃତ ସଂଖ୍ୟା ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। କରୋନା ମୃତ୍ୟୁର ସ୍ପେଶାଲ ଅଡିଟ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଆବେଦନ ଦାୟର କରିଛନ୍ତି।

କରୋନା ମୃତ୍ୟୁ ସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନଥିବା ସଂପର୍କରେ ମାମଲାରେ ଉଲ୍ଲେଖ କରାଯିବା ସହିତ ‘ସମ୍ବାଦ’ରେ ପ୍ରକାଶିତ ନୟାଗଡ଼ ଜିଲ୍ଲାର ଘଟଣାକୁ ଉଦାହରଣ ଭାବେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ କରୋନାର ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୯୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ରିପୋର୍ଟ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା‌, ସେଥିରେ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଥିଲା। ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟକୁ ରିଟ୍ ଆବେଦନ ସହିତ ସଂଲଗ୍ନ କରାଯାଇଛି। ସେହିଭଳି ଭାବେ ବିଭାଗୀୟ ଟୁଇଟର ହ୍ୟାଣ୍ଡେଲରେ ଦିଆଯାଉଥିବା ତଥ୍ୟକୁ ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଦେଇଥିବା ବୟାନରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଛି।

ସେହିଭଳି, ଏପ୍ରିଲରେ ନୂଆପଡ଼ା ଜିଲ୍ଲାରେ ପଜିଟିଭ ହାର ୩୫ ପ୍ରତିଶତ ରହିଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର ୪ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନା ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୮୨ ଥିଲା। ସମ୍ବଲପୁର ଜିଲ୍ଲାରେ ମଧ୍ୟ ସରକାରୀ ତଥ୍ୟ ଓ ଜିଲ୍ଲାର ବିଭିନ୍ନ ଡାକ୍ତରଖାନରୁ ମିଳିଥିବା ରିପୋର୍ଟରେ ରହିଥିବା ମୃତ୍ୟୁସଂଖ୍ୟାରେ ତାରତମ୍ୟ ରହିଥିଲା। ଏପ୍ରିଲ ୨୬ରେ କଟକର ସତୀଚଉରା ଶ୍ମଶାନକୁ ଆବେଦନକାରୀ ଯାଇ ଶବଦାହ କରୁଥିବା ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ। ସେଦିନ ୪୪ଟି ଶବଦାହ ସେଠାରେ କରାଯାଇଥିଲା ବୋଲି ଖବର ପ୍ରକାଶ ପାଇଥିଲା। ସେହିଭଳି ଭାବେ ଭୁ‌ବନେଶ୍ବର ସତ୍ୟନଗର ଶ୍ମଶାନରେ ସେଦିନ ପ୍ରାୟ ୪୦ଟି ଶବ ସଂସ୍କାର କରାଯାଇଥିଲା। କିନ୍ତୁ ସାରାରାଜ୍ୟରେ ସରକାରୀ ଭାବେ ମୃତ୍ୟୁସଂଖ୍ୟାକୁ ଦେଖିଲେ, ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି।

କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସହାୟତା ପ୍ରଦାନ କରୁଥିବାବେଳେ ପ୍ରକୃତରେ କିଏ କରୋନାରେ ପ୍ରାଣ ହରାଉଛି, ତାହା ଚିହ୍ନଟ ହେବା ଆବଶ୍ୟକ। ନଚେତ ଏହି ସବୁ ଯୋଜନାର ଉପଯୁକ୍ତ ଫଳ ମିଳି ପାରିବନାହିଁ। ରାଜ୍ୟ ସରକାର କରୋନା ମୃତ୍ୟ ତଥ୍ୟ ଠିକ୍ ଭାବେ ପ୍ରକାଶ କରିବା ଦରକାର। ଏହି ପ୍ରସଂଗରେ ସ୍ପେଶାଲ ଅଡିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଉ। ସବୁ ଜିଲ୍ଲାର ସିଡିଏମଓଙ୍କ ନିକଟରୁ କରୋନା ମୃତ୍ୟୁ ସଂପର୍କିତ ରିପୋର୍ଟ ତଲବ କରାଯାଉ। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର