ବିରଞ୍ଚିଙ୍କ ପତ୍ନୀ, ସଢ଼ୁଙ୍କ ନାଁରେ ମାମଲା

କୋଳଥିଆ ଘରେ ହେଉଥିଲା ଚାକିରି ଡିଲ୍!

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାରେ ସହଯୋଗ କରିଥିଲେ ପତ୍ନୀ ଓ ସଢ଼ୁ। ପତ୍ନୀଙ୍କ ନାଁରେ ମଧ୍ୟ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ସେହିପରି ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ଉଭୟଙ୍କର ସମ୍ପୃକ୍ତି ଜଣାପଡ଼ିବା ପରେ ପତ୍ନୀ ଓ ସଢ଼ୁଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜଣାପଡ଼ିଛି।

ବିରଞ୍ଚିଙ୍କ ପତ୍ନୀ ଏକାଧିକ ସରକାରୀ କର୍ମଚାରୀଙ୍କର ଜୀବନ ବୀମା ପଲିସି କରିଛନ୍ତି ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ସେହି କର୍ମଚାରୀମାନେ ବିରଞ୍ଚିଙ୍କ ଜରିଆରେ ନିଯୁକ୍ତି ପାଇଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠିଛି। ଭିଜିଲାନ୍ସ ହାତରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ବିରଞ୍ଚିଙ୍କର ଜବତ ମୋବାଇଲ ଫୋନରୁ ବିଗତ ୧୦ ବର୍ଷ ଭିତରେ ପୁଲିସ ସମେତ ଏକାଧିକ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କର ନମ୍ବର ମିଳିଛି। ସେମାନଙ୍କର ବିରଞ୍ଚିଙ୍କ ସହ ସମ୍ପର୍କ କ’ଣ, ବିରଞ୍ଚି ଓଏସ୍ଏସସିର ସଦସ୍ୟଙ୍କ ପିଏ ହୋଇ ମଧ୍ୟ ସେମାନଙ୍କର କାହିଁକି ନମ୍ବର ରଖିଥିଲେ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ପରୀକ୍ଷାର୍ଥୀଙ୍କ ସହ ଏକାଧିକ ହ୍ବାଟସଆପ୍ ଚାଟିଂ, କଲିଂ ହୋଇଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଛି। ଏ ନେଇ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଥିବା ବେଳେ ଆଡମିଟ୍ କାର୍ଡ ମିଳିଥିବା ପରୀକ୍ଷାର୍ଥୀଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ବିରଞ୍ଚି ରିମାଣ୍ଡରେ ଆସିବା ପରେ ଏ ସବୁର ଗୁମର ଖୋଲିବ ବୋଲି ଆଶା ରଖିଛି ତଦନ୍ତକାରୀ ଟିମ୍।

କୋଳଥିଆ ଘରେ ହେଉଥିଲା ଚାକିରି ଡିଲ୍!
ଭୁବନେଶ୍ବର : ବିରଞ୍ଚିଙ୍କ କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଭିଜିଲାନ୍ସ ହାତରେ ଲାଗୁଛି। ଚାକିରି ପରୀକ୍ଷାର୍ଥୀଙ୍କ ସହ ଖଣ୍ଡଗିରି କୋଳଥିଆର ଏକ ଘରେ ଡିଲ୍ ହେଉଥିଲା ବୋଲି ଜଣାପଡ଼ିଛି। ସେହି ଘରେ ଭିଜିଲାନ୍ସ ଗତକାଲି ଚଢ଼ଉ ମଧ୍ୟ କରିଛି। କିନ୍ତୁ ତାହା ବିରଞ୍ଚିଙ୍କର କୌଣସି ସମ୍ପର୍କୀୟଙ୍କ ଘର ନା ଭଡ଼ା ଜଣାପଡ଼ି ନାହିଁ। ଭିଜିଲାନ୍ସ ଏ ନେଇ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର